ଓଡିଶା

odisha

ETV Bharat / bharat

ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଏଥିକ୍ସ କମିଟିକୁ ନୂଆ ଅସ୍ତ୍ର କରିଛି ବିଜେପି: ମହୁଆ

ଲୋକସଭା ସାଂସଦ ପଦ ରଦ୍ଦ ପରେ ମହୁଆ ମୋଇତ୍ରାଙ୍କ ପ୍ରତିକ୍ରିୟା । କହିଲେ ବିଜେପି ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଏଥିକ୍ସ କମିଟିକୁ ନୂଆ ଅସ୍ତ୍ର କରିଛି ।

Mahua Moitra
Mahua Moitra

By ETV Bharat Odisha Team

Published : Dec 8, 2023, 5:15 PM IST

ବିରୋଧୀଙ୍କ ମୁହଁ ବନ୍ଦ ପାଇଁ ଏଥିକ୍ସ କମିଟିକୁ ନୂଆ ଅସ୍ତ୍ର କରିଛି ବିଜେପି: ମହୁଆ

ନୂଆଦିଲ୍ଲୀ:'ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା' ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି । ଏଥିକ୍ସ କମିଟିର ରିପୋର୍ଟକୁ ଗ୍ରହଣ କରି ବାଚସ୍ପତି ଓମ ବିର୍ଲା ଏହି ନିଷ୍ପତ୍ତି ନେବା ପରେ ଗଣମାଧ୍ୟମ ସମ୍ମୁଖରେ ମୋଦି ସରକାର ଉପରେ ବର୍ଷିଛନ୍ତି ମୋଇତ୍ରା । ବିରୋଧୀଙ୍କ ସ୍ବରକୁ ଚାପିବା ଲାଗି ଏଥିକ୍ସ କମିଟିକୁ ଏକ ନୂଆ ଅସ୍ତ୍ର ଭାବେ ବିଜେପି ବ୍ୟବହାର କରୁଛି । ସେପଟେ ଏଥିକ୍ସ କମିଟି ସମସ୍ତ ନିୟମକୁ ଭଙ୍ଗ କରୁଛି ବୋଲି ମୋଇତ୍ରା ଅଭିଯୋଗ କରିଛନ୍ତି । ସେ ଏହି ନିଷ୍ପତ୍ତି ବିରୋଧରେ ଆଇନଗତ ଲଢେଇ ଜାରି ରଖିବେ ବୋଲି କହିଛନ୍ତି ।

ଏହି ମାମଲା ନେଇ ଆଜି ନିମ୍ନ ସଦନରେ ଏଥିକ୍ସ କମିଟି ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ ଲାଗି ସୁପାରିଶ କରିଥିଲା । ଏହି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଥିବା ବେଳେ ମୋଇତ୍ରାଙ୍କ ସାଂସଦ ପଦ ରଦ୍ଦ କରାଯାଇଛି । ଏହାପରେ ଗଣମାଧ୍ୟମ ସମ୍ମୁଖରେ ମୋଇତ୍ରା ପ୍ରତିକ୍ରିୟା ରଖି କହିଛନ୍ତି, " ଏଥିକ୍ସ କମିଟି ରିପୋର୍ଟରେ ମୋର ଲୋକସଭା ସଦସ୍ୟତା ରଦ୍ଦ ଲାଗି କ୍ୟାସ ଫର କ୍ବେରି ସହ ଲଗ ଇନ୍‌ ଆଇଡି ସେୟାର ବୋଲି ଦର୍ଶାଯାଇଛି । ମାତ୍ର ଏହାକୁ ନେଇ ସେପରି କୌଣସି ନିୟମ ନାହିଁ । ମୋତେ ଚୁପ କରି ମୋଦି ସରକାର ଭାବୁଛନ୍ତି ଅଦାନି ପ୍ରସଙ୍ଗରୁ ସେ ମୁକ୍ତି ପାଇଲେ ବୋଲି । ମୋଦି ସରକାର ଅରାଜକତା ଚଲାଇ ବିରୋଧୀଙ୍କ ପାଟି ବନ୍ଦ କରିବାକୁ ଚାହୁଁଛନ୍ତି । ମାତ୍ର ସେପରି ହେବ ନାହିଁ ।"

ଏହା ବି ପଢନ୍ତୁ- କ୍ୟାସ ଫର କ୍ବାରୀ ମାମଲା, ମହୁଆ ମୋଇତ୍ରା ବହିଷ୍କୃତ

ବିଜେପି ସାଂସଦ ନିଶିକାନ୍ତ ଦୁବେ ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବାର ଅଭିଯୋଗ ଆଣିଥିଲେ । ତାଙ୍କର ଅଭିଯୋଗ ଥିଲା ଯେ,'ନଗଦ ଟଙ୍କା ଏବଂ ଗିଫ୍ଟ ମାଧ୍ୟମରେ ସଂସଦରେ ଆଦାନୀ ଗ୍ରୁପକୁ ଟାର୍ଗେଟ କରି ପ୍ରଶ୍ନ କରିବାକୁ ମୋଇତ୍ରା ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଇଥିଲେ ।' ଦୁବେ ଏନେଇ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ନିକଟରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ବିଜେପି ସାଂସଦ ବିନୋଦ କୁମାର ସୋନକରଙ୍କ ଅଧ୍ୟକ୍ଷତାରେ ଲୋକସଭା ଏଥିକ୍ସ କମିଟି ଏହି ମାମଲାର ଯାଞ୍ଚ କରି ୫୦୦ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା । ରିପୋର୍ଟରେ କମିଟି ସାଂସଦ ମୋଇତ୍ରାଙ୍କ ବହିଷ୍କାର ପାଇଁ ସୁପାରିଶ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details