ଓଡିଶା

odisha

ETV Bharat / bharat

ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ

ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ଥାନାରେ ଅଟକ । ନିଜେ ଟ୍ବିଟ୍ କରି ଦେଲେ ସୂଚନା । ଅଧିକ ପଢନ୍ତୁ

By

Published : Aug 9, 2023, 11:46 AM IST

ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ
ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ

ମୁମ୍ବାଇ: ଅଗଷ୍ଟ କ୍ରାନ୍ତି ଦିବସରେ ମହାତ୍ମା ଗାନ୍ଧୀଙ୍କ ଅଣନାତିଙ୍କୁ ଉଠାଇ ନେଲା ପୋଲିସ । ମୁମ୍ବାଇ ପୋଲିସ ଆଜି ଗାନ୍ଧିଜୀଙ୍କ ଅଣନାତି ତୁଷାର ଗାନ୍ଧୀଙ୍କୁ ଥାନାକୁ ଆଣି ଅଟକ ରଖିଥିବାର ସୂଚନା ମିଳିଛି । ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ତୁଷାର ଶାନ୍ତିଯାତ୍ରା ଆରମ୍ଭ କରିବା ପୂର୍ବରୁ ସାନ୍ତାକ୍ରୁଜ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏନେଇ ସେ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ଅଗଷ୍ଟ କ୍ରାନ୍ତି ଦିବସ ପାଳନ ପାଇଁ ଅଗଷ୍ଟ କ୍ରାନ୍ତି ମୈଦାନକୁ ଯାଉଥିବା ବେଳେ ସାନ୍ତାକ୍ରୁଜ ପୋଲିସ ମୋତେ ଥାନାକୁ ଉଠାଇ ନେଇ ଅଟକ ରଖିଛି ।

ତୁଷାର କହିଛନ୍ତି,''ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ମୋତେ ଥାନାରେ ଅଟକ ରଖାଯାଇଛି । ଅଗଷ୍ଟ କ୍ରାନ୍ତି ଦିବସ ପାଳନ ପାଇଁ ମୁଁ ଘରୁ ବାହାରୁ ଥିବାବେଳେ ସାନ୍ତାକ୍ରୁଜ ପୋଲିସ ମୋତେ ହେପାଜତକୁ ନେଇଥିଲା । ମୋ ପାଇଁ ଗର୍ବର କଥା ଯେ, ମୋ ଜେଜେବାପା ବାପୁ ଓ ବା'ଙ୍କୁ ମଧ୍ୟ ଏହି ଐତିହାସିକ ତାରିଖରେ ବ୍ରିଟିଶ ପୋଲିସ ଗିରଫ କରିଥିଲା ।'' ତେବେ କିଛି ସମୟ ପରେ ପୋଲିସ ତାଙ୍କୁ ଥାନାରୁ ଯିବାକୁ ଅନୁମତି ଦେଇଥିବାର ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ଏନେଇ ପୋଲିସ ପକ୍ଷରୁ ଏ ଯାଏଁ କୌଣସି ବୟାନ ଜାରି ହୋଇନାହିଁ ।

ହେଲେ ତୁଷାର ଗାନ୍ଧୀ ଟ୍ବିଟ୍ କହିଛନ୍ତି ଯେ, ଅଗଷ୍ଟ କ୍ରାନ୍ତି ମୈଦାନ ଯାଏଁ ଆମର ମୌନ ଶୋଭାଯାତ୍ରାକୁ ଆଇନ ଶୃଙ୍ଖଳା ପ୍ରତି ବିପଦ ଭାବେ ଦେଖାଯାଉଛି । ଯେଉଁଥିପାଇଁ ତାଙ୍କୁ ଅଟକ ରଖାଗଲା । ଆଉ ଏକ ଟ୍ବିଟ୍‌ରେ କହିଛନ୍ତି, ପୋଲିସ ଷ୍ଟେସନରୁ ଯିବାକୁ ଅନୁମତି ମିଳିବା ମାତ୍ରେ ମୁଁ ଅଗଷ୍ଟ କ୍ରାନ୍ତି ମୈଦାନ ଅଭିମୁଖେ ବାହାରିବି ଏବଂ ଅଗଷ୍ଟ କ୍ରାନ୍ତି ଦିବସ ଓ ଏହାର ଶହୀଦଙ୍କ ସ୍ମୃତିଚାରଣ କରିବି ।

ଏହାମଧ୍ୟ ପଢନ୍ତୁ: Land Scam Case: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ED ସମନ, 14ରେ ହେବେ ହାଜର

ପ୍ରକାଶ ଥାଉକି, ଅଗଷ୍ଟ କ୍ରାନ୍ତି ଦିବସକୁ ଭାରତ ଛାଡ ଆନ୍ଦୋଳନ ମଧ୍ୟ କୁହାଯାଏ । ବ୍ରିଟିଶ ଶାସନର ଅନ୍ତ ପାଇଁ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତୀୟ ଜାତୀୟ କଂଗ୍ରେସ କମିଟିର ବମ୍ବେ ଅଧିବେଶନ ଭାରତ ଛାଡ ଆନ୍ଦୋଳନ ଆରମ୍ଭ କରିଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧରେ ଗାନ୍ଧିଜୀ ବ୍ରିଟିଶମାନଙ୍କୁ ସମର୍ଥନ କରିବା ପରେ ମଧ୍ୟ ସେମାନେ ଦେଶ ଛାଡିବାକୁ ପ୍ରସ୍ତୁତ ହୋଇନଥିଲେ । ସେତେବେଳେ ସେ ଭାରତ ଛାଡ ଆନ୍ଦୋଳନ ଡାକରା ଦେଇଥିଲେ । ବ୍ରିଟିଶଙ୍କୁ ଦେଶରୁ ବିତାଡିତ କରିବାକୁ ୧୯୪୨ ଜୁଲାଇ ୪ରେ ଭାରତୀୟ ଜାତୀୟ କଂଗ୍ରେସ ଏକ ପ୍ରସ୍ତାବ ପାରିତ କଲା । ଆନ୍ଦୋଳନ ପୂର୍ବରୁ ଗାନ୍ଧିଜୀଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଯାଇଥିଲା । ୧୯୪୨ ଅଗଷ୍ଟ ୯ରେ ମୁମ୍ବାଇ ଗ୍ବାଲିଆ ଟ୍ୟାଙ୍କ ଗ୍ରାଉଣ୍ଡରେ ପତାକା ଉତ୍ତୋଳନ କରାଯାଇ ଏହି ଆନ୍ଦୋଳନ ପାଇଁ ଦେଶବାସୀଙ୍କୁ ଆହ୍ବାନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details