ରାୟପୁର:ଓଡ଼ିଶା-ଛତିଶଗଡ ସୀମାରୁ ଲକ୍ଷାଧିକ ଟଙ୍କାର ସୁନା ରୂପା ଅଳଙ୍କାର ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୬୩ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ଛତିଶଗଡ ପୋଲିସ ଓଡ଼ିଶାର ୩ ଜଣଙ୍କ ସମେତ ରାୟପୁରର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ଦୁଇଟି କାର ଯୋଗେ ସୁନା ରୂପା ଗହଣା ନେଇ ଓଡ଼ିଶାରୁ ଛତିଶଗଡ଼ ଅଭିମୁଖେ ଯାଉଥିଲେ । ମହାସମୁନ୍ଦ ଜିଲ୍ଲାର କୋମଖାନା ଥାନା ଅଞ୍ଚଳରେ ଚେକିଂ ବେଳେ ପୋଲିସ ଗହଣାଗୁଡିକୁ ଜବତ କରିଛି ।
ଆସନ୍ତା ମାସ ୭ ତାରିଖରେ ଛତିଶଗଡ଼ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ସାରା ରାଜ୍ୟରେ ଆଚାର ସଂହିତା ଲାଗୁ ହେବା ପରେ ସୀମାରେ ଚେକିଂ କଡ଼ାକଡ଼ି କରାଯାଇଛି । ଏହି କ୍ରମରେ ସୋମବାର କୋମାଖାନ ପୋଲିସ ଆନ୍ତଃରାଜ୍ୟ ଚେକ୍ ପୋଷ୍ଟ ଟେମରୀ ନାକା ନିକଟରେ ଗାଡିମୋଟର ଚେକିଂ କରୁଥିଲା । ଏହି ସମୟରେ ଓଡ଼ିଶା ଆଡୁ ଏକ ଡେଲିଭରି ଭ୍ୟାନ ଛତିଶଗଡ଼ ଆଡକୁ ଯାଉଥିବା ବେଳେ ପୋଲିସ ଗାଡ଼ିକୁ ଅଟକାଇ ଥିଲା । ଗାଡ଼ିରେ ୨ ଜଣ ଲୋକ ବସିଥିଲେ । ପଚରାଉଚରା କରିବାରୁ ଦୁହେଁ ସନ୍ତୋଷମୂଳକ ଉତ୍ତର ଦେଇପାରି ନଥିଲେ । ତେଣୁ ସନ୍ଦେହରେ ପୋଲିସ ଗାଡି ଡିକି ଚେକିଂ କରିବାରୁ ଏକ ବ୍ୟାଗ୍ ମିଳିଥିଲା । ଉକ୍ତ ବ୍ୟାଗରେ ପ୍ରାୟ ୩୭.୬୦୦ କେଜିର ରୂପା ଅଳଙ୍କାର ଭର୍ତ୍ତି ହୋଇଥିବାର ଦେଖିବାକୁ ମିଳିଥିଲା । ପୋଲିସ ଅଳଙ୍କାର ଜବତ କରିବା ସହ ରାୟପୁରର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ଏହାମଧ୍ୟ ପଢନ୍ତୁ: J&K: 300 କୋଟିର ନିଶାଦ୍ରବ୍ୟ ଜବତ, ଦୁଇ ପଞ୍ଜାବୀ ଯୁବକ ଗିରଫ