ମୁମ୍ବାଇ:ମହାରାଷ୍ଟ୍ରରେ ଅଘଟଣ । ମହାରାଷ୍ଟ୍ରର ଅକୋଲାକ ରାକାସରେ ଏକ ଆଜବେଷ୍ଟ ଘର ଉପରେ ପୁରୁଣା ଗଛ ପଡିଯିବାରୁ ଅତି କମରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ରବିବାର ଦିନ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ଏନେଇ ଅକୋଲାର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, "ରବିବାର ଯେତେବେଳେ ବହୁ ପୁରୁଣା ଗଛଟି ଉପୁଡି ପଡିଥିଲା ସେହି ସମୟରେ ୪୦ ଜଣ ଲୋକ ଉପସ୍ଥିତ ଥିଲେ । ଫଳରେ ଘଟଣାସ୍ଥଳରେ ହିଁ ୪ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୩୬ ଜଣଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଅନ୍ୟଜଣଙ୍କର ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।"
ଏନେଇ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦୁଃଖ ପ୍ରକାଶ କରିଛନ୍ତି । ଅକେଲା ଜିଲ୍ଲାର ପାରସରେ ଏକ ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ସେ କହିଛନ୍ତି ।ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଟ୍ବିଟ କରି କହିଛନ୍ତି, "ଏକ ଧାର୍ମିକ ସମାରୋହରେ ଯୋଗ ଦେବା ପାଇଁ ୪୦ଜଣ ଯାତ୍ରୀ ଏକାଠି ହୋଇଥିବା ବେଳେ ଗଛଟି ପଡିଯାଇଥିଲା । ଫଳରେ ଏଭଳି ଅଘଟଣ ଘଟିଯାଇଛି । ୭ ଜଣ ଲୋକ ପ୍ରାଣ ହରାଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ମୁଁ ସେମାନଙ୍କର ଅନ୍ତର ଆତ୍ମାର ଶାନ୍ତି କାମନା କରୁଛି । "