ଗୌହାଟୀ: ମହାରାଷ୍ଟ୍ରରେ ଶାସନ ଦଳ ଶିବସେନାରେ ବିଦ୍ରୋହ ଆରମ୍ଭ ହୋଇଛି । ମହାରାଷ୍ଟ୍ର ଦେଖା ଦେଇଛି ରାଜନୈତିକ ସଙ୍କଟ । ଝୁଲୁଛି ଉଦ୍ଧବ ସରକାରଙ୍କ ଭାଗ୍ୟ । ଶିବସେନା ଦଳର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କ ନେତୃତ୍ବରେ ବିଧାୟକ ଦଳ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି । ଏନେଇ ଆଜି ସୁରଟରୁ ଗୌହାଟୀରେ ପହଞ୍ଚିଛନ୍ତି ବିଦ୍ରୋହୀ ବିଧାୟକ । ସୁରତରୁ 40 ବିଧାୟକଙ୍କୁ ଧରି ଗୌହାଟୀରେ ପହଞ୍ଚିଛନ୍ତି ଶିବସେନା ନେତା ଏକନାଥ ।
ଗୌହାଟୀରେ ପହଞ୍ଚିବା ପୂର୍ବରୁ ସୁରଟ ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶିବସେନା ନେତା ଏକନାଥ କହିଛନ୍ତି ଏଠାରେ 40 ବିଧାୟକ ଉପସ୍ଥିତ ଅଛନ୍ତି । ଆମେ ସମସ୍ତେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ବ ଓ ତାଙ୍କ ଭୂମିକାକୁ ଆଗକୁ ନେବାକୁ ଚାହୁଁଛୁ । ଗତକାଲି ( ମଙ୍ଗଳବାର) ବିଧାନ ପରିଷଦ ନିର୍ବାଚନ କ୍ରସ ଭୋଟିଂ ପରେ ହଠାତ୍ ବିଧାୟକ କେଉଁଆଡେ ଚାଲିଯାଇଥିଲେ । ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ପରେ ଜଣା ପଡିଥିଲା ଯେ ସେମାନେ ସୁରଟର ଏକ ପଞ୍ଚତାରକା ହୋଟେଲରେ ରହିଛନ୍ତି । ସୂଚନାଅନୁସାରେ, ବାଲାସାହେବ ଠାକରେ ଯିଏକି 1966 ଜୁନ19ରେ ଶିବସେନା ଦଳ ପ୍ରତିଷ୍ଠା କରିଥିଲେ । 2021 ନଭେମ୍ବର 17ରେ ତାଙ୍କର ଦେହାନ୍ତ ହୋଇଥିଲା ।