ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ମହାରାଷ୍ଟ୍ର ଗସ୍ତ କରିଛନ୍ତି । ଏହି ଅବସରରେ ସେ ନାଶିକ ଠାରେ 27ତମ ଜାତୀୟ ଯୁବ ମହୋତ୍ସବ ଉଦଘାଟନ କରିବା ସହ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଖେଇ ଆସୁଥିବାରୁ ଦେଶର ସମସ୍ତ ଧାର୍ମିକ ସ୍ଥଳକୁ ସଫା ରଖିବା ଲାଗି ସ୍ବଚ୍ଛ ଅଭିଯାନ ଆରମ୍ଭ କରିବା ଲାଗି ଲୋକଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏନେଇ ମୋଦି କହିଛନ୍ତି, "ଆଜି ହେଉଛି ଭାରତର ଯୁବ ଶକ୍ତିଙ୍କ ପାଇଁ ଦିନଟିଏ । ଦାସତ୍ବ ସମୟରେ ଭାରତକୁ ନୂତନ ଶକ୍ତିରେ ପରିପୂର୍ଣ୍ଣ କରିଥିବା ମହାନ ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଉତ୍ସର୍ଗୀକୃତ । ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ମୁଁ ଏଠାରେ ଉପସ୍ଥିତ ଥିବାରୁ ବେଶ ଆନନ୍ଦିତ । ଜାତୀୟ ଯୁବ ଦିବସରେ ମୁଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆଜା ରାଜମାତା ଜିଜା ବାଈଙ୍କ ବି ଜୟନ୍ତୀ । ସେ ହେଉଛନ୍ତି ଭାରତରେ ନାରୀ ଶକ୍ତିର ସଙ୍କେତ ।" ଏହାସହିତ ମୋଦି ଚନ୍ଦ୍ରଯାନ-3 ଓ ଆଦିତ୍ୟ ଏଲ-1ର ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି ।
ଏହା ବି ପଢନ୍ତୁ- ଆଜି ଜାତୀୟ ଯୁବ ଦିବସ, ଯୁବ ସମାଜର ଆଦର୍ଶ ସ୍ବାମୀ ବିବେକାନନ୍ଦ
ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ସମସ୍ତ ଧାର୍ମିକ ସ୍ଥଳରେ ସ୍ବଚ୍ଛତା ଅଭିଯାନ ଆରମ୍ଭ କରିବା ଲାଗି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଲାଗି ଦେଶବାସୀ ମନ୍ଦିର ଓ ଧାର୍ମିକ ସ୍ଥଳୀକୁ ପରିଷ୍କାର ରଖିବା ଲାଗି ସ୍ବଚ୍ଛତା ଅଭିଯାନ ଆରମ୍ଭ କରନ୍ତୁ ।" ଏହାବାଦ ପ୍ରଧାନମନ୍ତ୍ରୀ ବିଶ୍ବ ଅର୍ଥନୀତିରେ ଭାରତର ସ୍ଥାନ ସମ୍ପର୍କରେ ଆଲୋଚନା କରିଥିଲେ । ଭାରତ ଏବେ ବିଶ୍ବର ପଞ୍ଚମ ବୃହତ ଅର୍ଥନୀତି ହୋଇପାରିଛି । ଏହା କେବଳ ଦେଶର ଯୁବ ଶକ୍ତିଙ୍କ ଦ୍ବାରା ସମ୍ଭବ ହୋଇପାରିଛି । ଦେଶର ଯୁବଗୋଷ୍ଠୀ ଆମର ସର୍ବଶ୍ରେଷ୍ଠ ଶକ୍ତି ବୋଲି କହିଛନ୍ତି ମୋଦି ।
ଏହା ବି ପଢନ୍ତୁ- ଦେଶ ପାଇବ ସର୍ବବୃହତ ସାମୁଦ୍ରିକ ସେତୁ, ଶୁକ୍ରବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ଆଜି ନାଶିକରେ ପହଞ୍ଚିବା ପରେ ମିର୍ଚି ସର୍କଲଠାରୁ ଜନାର୍ଦ୍ଧନ ସ୍ବାମୀ ମଠ ଛକ ପର୍ଯ୍ୟନ୍ତ ରୋଡ ଶୋ' କରିଥିଲେ । ଏହି ସମୟରେ ମୋଦିଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଅଜିତ ପାୱାର, ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବୱାଙ୍ଖୁଲେ ଉପସ୍ଥିତ ଥିଲେ । ରୋଡ ଶୋ'ରେ ପ୍ରାୟ 1 ଲକ୍ଷ 50 ହଜାର ଲୋକ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ଦେଶର ସର୍ବବୃହତ ସାମୁଦ୍ରିକ ସେତୁ 'ଅଟଳ ସେତୁ'ର ଉଦଘାଟନ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ