ମୁମ୍ବାଇ:କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ତାଙ୍କ ନାଁରେ ଏକ ସ୍ମାରକୀ ନିର୍ମାଣ କରିବ ମହାରାଷ୍ଟ୍ର ସରକାର । ଏନେଇ ଉଦ୍ଧବ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ପ୍ରାୟ 1,200 କୋଟି ଟଙ୍କା ବ୍ୟୟରେ ଏହି ଭବ୍ୟ ସ୍ମାରକୀ ନିର୍ମିତ ହେବା ନେଇ ପ୍ରାଥମିକ ଭାବେ ଚିନ୍ତା କରାଯାଉଛି । ଏହି ସ୍ମାରକୀଟି 2.5 ଏକର ଜମିରେ ମୁମ୍ବାଇର କାଲିନାରେ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ମୁଖ୍ୟ ଆକର୍ଷଣ ରହିବ ଏକ ଅନ୍ତର୍ଜାତୀୟ ସ୍ତରର ମ୍ୟୁଜିକ୍ ଏକାଡେମୀ ।
ମୁମ୍ବାଇର ପ୍ରସିଦ୍ଧ ଶିବାଜୀ ପାର୍କରେ ଲତା ମଙ୍ଗେଶକରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମାରକୀ ନିର୍ମାଣ କରିବାକୁ ବିଜେପି ଦାବି କରିଥିଲା । ତେବେ ଏହି ପ୍ରସଙ୍ଗରେ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି କହିଛି ଶାସକ ଶିବସେନା । ଲତା ମଙ୍ଗେଶକରଙ୍କ ଫେବୃଆରୀ 6 ତାରିଖରେ 92 ବର୍ଷ ବୟସରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଥିଲା ।