ମୁମ୍ବାଇ: ‘‘ମୁମ୍ବାଇରୁ ରାଜସ୍ଥାନୀ ଓ ଗୁଜୁରାଟୀଙ୍କୁ ହଟାଇ ଦିଆଗଲେ ମୁମ୍ବାଇ ଆଉ ଦେଶର ଅର୍ଥନୈତିକ ରାଜଧାନୀ ହୋଇ ରହିବନାହିଁ । ମୁମ୍ବାଇ ଓ ଥାଣେ ସହରରେ ଟଙ୍କାର ଅଭାବ ପଡିବ ।’’ ଏପରି କିଛି ମନ୍ତବ୍ୟ ଦେଇ ଏବେ ବିବାଦରେ ମହାରାଷ୍ଟ୍ର ରାଜ୍ୟାପାଳ ଭଗତ ସିଂ କୋଶିୟାରୀ । ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଏହି ବୟାନ ଆସିବା ପରେ ରାଜ୍ୟବ୍ୟାପୀ ବିବାଦ ଦେଖିବାକୁ ମିଳିଛି । ବିରୋଧୀ ରାଜନୈତିକ ଦଳମାନେ ରାଜ୍ୟପାଳଙ୍କ ଏହି ବୟାନକୁ ନିନ୍ଦା କରିବା ସହ ମହାରାଷ୍ଟ୍ରବାସୀ ମଧ୍ୟ ଏହାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ରାଜ୍ୟପାଳଙ୍କ ଏପରି ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ମୁମ୍ବାଇ ସହର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦାବି ମଧ୍ୟ ଉଠିବାରେ ଲାଗିଛି ।
ଏହି ପ୍ରସଙ୍ଗରେ ରାଜ୍ୟପାଳ କୋଶିୟାରୀଙ୍କୁ କଡା ସାମାଲୋଚନା କରିଛନ୍ତି ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରାଜ୍ୟପାଳଙ୍କୁ ସେ ସିଧା ଚପଲ ମାଡ ହେବା ନେଇ ମଧ୍ୟ ପରୋକ୍ଷ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି । ଉଦ୍ଧବ କହିଛନ୍ତି, ରାଜ୍ୟର ରାଜ୍ୟପାଳ ଭାବେ କୋଶିୟାରୀ ଦୀର୍ଘ ଅଢେଇ ବର୍ଷ ହେଲା ସମସ୍ତ ସାମ୍ବିଧାନିକ କ୍ଷମତା ଉପଭୋଗ କରିଆସୁଛନ୍ତି । ସେ ଜଣେ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତିବିଶେଷ । ରାଷ୍ଟ୍ରପତିଙ୍କ ଦ୍ବାରା ନିଯୁକ୍ତ ପ୍ରତିନିଧି । ତେବେ ତାଙ୍କର ଏପରି ଦୁର୍ଭାଗ୍ୟଜନକ ମନ୍ତବ୍ୟ ପାଇଁ ସମଗ୍ର ମହାରାଷ୍ଟ୍ରବାସୀ ଅପମାନିତ ହୋଇଛନ୍ତି । ମରାଠାଙ୍କର ଗୌରବ ଅପମାନିତ ହୋଇଛି । ରାଜ୍ୟପାଳ କୋଶିୟାରୀ ନିଜ କାର୍ଯ୍ୟକାଳରେ ମହାରାଷ୍ଟ୍ରର ବ୍ୟଞ୍ଜନ ଉପଭୋଗ କରିଛନ୍ତି । ଏବେ କୋହ୍ଲାପୁରୀ ଚପଲ ଦେଖିବାର ସମୟ ଆସିଛି ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ।