ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ସଂଙ୍କଟ ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଏହି ବହୁଚର୍ଚ୍ଚିତ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଉପବାଚସ୍ପତିଙ୍କ ଅଯୋଗ୍ୟ ଘୋଷଣା ନୋଟିସକୁ ଚ୍ୟାଲେଞ୍ଜ କରି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ ଦାଏର କରିଥିବା ମାମଲାର ଆଜି ଶୁଣାଣି ହେବ । ଯାହାର ରାୟ ଉପରେ ସାରା ଦେଶର ନଜର ରହିଛି । ଏକନାଥ ସିନ୍ଧେଙ୍କ ସମେତ ମୋଟ 16 ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ନୋଟିସ ଜାରି କରିଥିଲେ ମହାରାଷ୍ଟ୍ର ଉପବାଚସ୍ପତି । ତେବେ ଏହାକୁ ନେଇ ସିନ୍ଧେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ରାଜ୍ୟରେ ଅନୁପସ୍ଥିତ ଥିବା ବିଧାୟକଙ୍କୁ କାହିଁକି ପଦରୁ ଅଯୋଗ୍ୟ ଘୋଷିତ କରାଯିବା ନାହିଁ ସେ ସମ୍ପର୍କରେ ଉପବାଚସ୍ପତି କାରଣ ଦର୍ଶାଓ ନୋଟିସ ଜାରି କରିଥିଲେ । ଏହାକୁ ଉପବାଚସ୍ପତିଙ୍କ କ୍ଷମତା ବାହାର ବୋଲି କହିଛି ସିନ୍ଧେ ଗୋଷ୍ଠୀ । ବଧାନସଭା ଗୃହ ମଧ୍ୟରେ କୌଣସି କାର୍ଯ୍ୟାବଳୀ କିମ୍ବା ବ୍ୟତିକ୍ରମ ପାଇଁ ବାଚସ୍ପତି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି କରିପାରିବେ । କିନ୍ତୁ ଦଳୀୟ ଅନୁପସ୍ଥିତିରେ ବାଚସ୍ପତି କିପରି ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନୋଟିସ ଜାରି କଲେ ତାକୁ ନେଇ ସିନ୍ଧେଙ୍କ ଗୋଷ୍ଠୀ ପ୍ରଶ୍ନ ଉଠାଇଛି ।