ମୁମ୍ବାଇ:ମହାରାଷ୍ଟ୍ରରେ ମାତିଲେ ଚିକେନ ଚୋର । ଘରେ ପଶି ଜଣେ ଯୁବକଙ୍କୁ ୩ ଜଣ ଚିକେନ ଚୋର ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଉକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଗିରଫ କରିଥିବା ଜଣାପଡ଼ିଛି । ପୋଲିସର କହିବା ଅନୁସାରେ ଯୁବକ ଜଣକ ଏକ କୋଦାଳରେ ଚୋରମାନଙ୍କୁ ଆକ୍ରମଣ କରୁଥିବା ବେଳେ ସେହି କୋଦାଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ପରିବାରର ଅଭିଯୋଗ ପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ୩ଜଣ ଚୋରଙ୍କୁ ଗିରଫ କରିଛି ।
ଗତ ମାର୍ଚ୍ଚ ୨୯ ତାରିଖରେ ମହାରାଷ୍ଟ୍ରର ପାନଭେଲ ସିଟି ପୋଲିସ ଷ୍ଟେସନ ଅଧୀନ ଶିବକର ଗ୍ରାମରେ ଘଟିଛି । ମୃତ ଯୁବକଙ୍କ ଜଣକ ନାମ ବିନୟ ପାଟିଲ (୧୯) ବୋଲି ଜଣାପଡ଼ିଛି । ବିନୟଙ୍କ ହତ୍ୟାକାରୀ ଗତକାଲି (ଶନିବାର) ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ଆଇପିସି ସେକ୍ସନ ୨୧୫ ଓ ୩୦୨ ଆଧାରରେ ମାମଲା ରୁଜୁ କରାଯାଇଛି । ପୋଲିସର କହିବାନୁସାରେ ଏହି ୩ ଦୁର୍ବୃତ୍ତ ମାର୍ଚ୍ଚ ୨୯ ତାରିଖରେ ବିନୟଙ୍କ ଘରେ ରାତି ପ୍ରାୟ ୨ଟାରେ ଚିକେନ ଚୋରି କରିବା ଉଦ୍ଦେଶ୍ୟରେ ପହଞ୍ଚିଥିଲେ ।
ଏହା ବି ପଢନ୍ତୁ- JDU ବିଧାୟକଙ୍କ ଧମକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କଲେ ମୁଣ୍ଡ କାଟିଦେବେ
ସେମାନେ ବିଳମ୍ବିତ ରାତିରେ ଚିକେନ ଚୋରି କରିବା ଲାଗି ଗାଁରେ ବୁଲୁଥିଲେ । ଏହି ସମୟରେ ବିନୟଙ୍କ ଘର କବାଟ ବନ୍ଦ ନଥିବା ସେମାନେ ଜାଣିବାକୁ ପାଇଥିଲେ । ଏହାପରେ ସେମାନେ ଛୁରୀ ସହିତ ଘର ଭିତରେ ପ୍ରବେଶ କରିଥିଲେ । ଏହି ସମୟରେ ବିନୟ ହଠାତ ନିଦରୁ ଉଠିଯିବା ପରେ ଏକ କୋଦାଳରେ ୩ ଚୋରଙ୍କୁ କାବୁ କରିବା ଲାଗି ଉଦ୍ୟମ କରିଥିଲେ । ଏହି ସମୟରେ ଚୋରମାନେ ଭୟଭୀତ ହୋଇ ଖସି ପଳାଇବାକୁ ଚେଷ୍ଟା କରିଥିଲେ । ହେଲେ ବିନୟ ଚୋରମାନଙ୍କ ପଛରେ ଯଆଇଥିଲେ ।
ଏହି ସମୟରେ ଚୋରମାନେ ବିନୟଙ୍କୁ ପାଲଟା ଆକ୍ରମଣ କରିବା ପରେ ସେ ଗୁରୁତର ଆହତ ହୋଇଥିଲେ । କିଛି ସମୟରେ ବିନୟଙ୍କୁ ତାଙ୍କ ପରିବାର ଲୋକେ ଘରେ ଖୋଜିଥିଲେ । ମାତ୍ର ବିନୟ ଘରେ ନମିଳିବା ପରେ ସେମାନେ ବାହାରକୁ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ବିନୟଙ୍କ ମୃତ୍ୟୁ ଘଟିଥିଲା । ଏନେଇ ବିନୟଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ବେଳେ ୩ ଚିକେନ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି ।