ମୁମ୍ବାଇ : ମହାରାଷ୍ଟ୍ରର ବିଧାନସଭାରେ ବିରୋଧୀଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏବଂ ତାଙ୍କ ପରିବାର ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରିଛନ୍ତି ମହାରାଷ୍ଟ୍ର ସରକାର । କେବଳ ଦେବେନ୍ଦ୍ର ଫଡନାଭିସ ନୁହନ୍ତି ରାଜ୍ୟର ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ଯୋଗାଯାଉଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିନେଇଛନ୍ତି ମହାରାଷ୍ଟ୍ର ସରକାର । ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ 2 ଜଣଙ୍କ ସୁରକ୍ଷାକୁ ନବୀକରଣ କରାଯାଇଛି, 11 ଜଣଙ୍କ ସୁରକ୍ଷାକୁ ହ୍ରାସ କରାଯାଇଛି । ସେହିପରି 16 ଜଣଙ୍କ ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରାଯାଇଥିବା ବେଳେ 13 ଜଣଙ୍କୁ ସୁରକ୍ଷା କଭର ମିଳିଛି।
ପୂର୍ବତନ ୟୁପି ରାଜ୍ୟପାଳ ରାମ ନାୟକ ଏବଂ ଏମଏନଏସ ସଭାପତି ରାଜ ଠାକରେଙ୍କ ସୁରକ୍ଷା ହ୍ରାସ କରାଯାଇଛି । ରାଜ୍ୟ ବିଜେପି ମୁଖ୍ୟ ଚନ୍ଦ୍ରକାନ୍ତ ପାଟିଲଙ୍କ ସୁରକ୍ଷା କଭର ପ୍ରତ୍ୟାହାର କରିଛନ୍ତି ମହାରାଷ୍ଟ୍ର ସରକାର ।
ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପ ପରେ ମହାରାଷ୍ଟ୍ର ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ଏହାକୁ ମହାରାଷ୍ଟ୍ର ସରକାରଙ୍କ 'ଭେଣ୍ଡେଟା ରାଜନୀତି' ବୋଲି କହିଛନ୍ତି । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସ୍ କହିଛନ୍ତି ଯେ ଏହା ତାଙ୍କର ଯାତ୍ରା ଏବଂ ଲୋକଙ୍କୁ ଭେଟିବା ଯୋଜନା ଉପରେ ପ୍ରଭାବ ପକାଇ ପାରିବ ନାହିଁ।