ଚେନ୍ନାଇ:AIADMK ରୁ ବହିଷ୍କୃତ ହୋଇଥିବା ଏକମାତ୍ର ସାଂସଦ ଓପି ରବିନ୍ଦ୍ରନାଥ କୁମାରଙ୍କ 2019 ନିର୍ବାଚନକୁ ରଦ୍ଦ ଘୋଷଣା କରିଛନ୍ତି ମାଡ୍ରାସ ହାଇକୋର୍ଟ । ସେ ଗତ 2019 ସାଧାରଣ ନିର୍ବାଚନରେ ଥେନୀ ସଂସଦୀୟ ଆସନରୁ ଏକମାତ୍ର AIADMK ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ନିର୍ବାଚନ ସତ୍ୟପାଠରେ ସେ ନିଜର ସମ୍ପତ୍ତି ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲୁଚାଇବା ଓ ନିର୍ବାଚନ ଆୟୋଗଙ୍କୁ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲା କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଆଜି ମାଡ୍ରାସ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସାଂସଦ ରବିନ୍ଦ୍ରନାଥ କୁମାରଙ୍କୁ ବଡ ଝଟକା ଦେଇଛନ୍ତି । କୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।
ମାଡ୍ରାସ ହାଇକୋର୍ଟର ବିଚାରପତି ଏସ.ଏସ ସୁନ୍ଦରଙ୍କ ଏକକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି । ସେହିପରି ରବିନ୍ଦ୍ରନାଥ ଚାହିଁଲେ ଏକ ଆବେଦନ ମଧ୍ୟ ଦାଖଲ କରିପାରିବେ ବୋଲି କୋର୍ଟ କହିଛନ୍ତି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କ ପୁଅ ହେଉଛନ୍ତି ଓ.ପି ରବିନ୍ଦ୍ରନାଥ କୁମାର । ସେ 2019 ସାଧାରଣ ନିର୍ବାଚନରେ AIADMK-BJP ମେଣ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଏକମାତ୍ର AIADMK ସାଂସଦ ଭାବେ ବିଜୟୀ ହୋଇଥିଲେ । ସେ ତାଙ୍କ ନିକଟତମ ପ୍ରତିନ୍ଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରାୟ 70 ହଜାର ଭୋଟରେ ପରାଜିତ କରିଥିଲେ ।
ରାଜ୍ୟରେ ମୋଟ 39 ସଂସଦୀୟ ଆସନରୁ DMK-କଂଗ୍ରେସ ମେଣ୍ଟ 38 ରେ କ୍ଲିନସ୍ବିପ କରିଥିବା ବେଳେ ଏକମାତ୍ର ସାଂସଦୀୟ ଆସନ ଥେନୀରେ ରବିନ୍ଦ୍ରନାଥ କୁମାର ବିଜୟୀ ହୋଇଥିଲେ । ପରେ ସେ ପାର୍ଟି ଅନ୍ତଃକନ୍ଦଳ କାରଣରୁ ଦଳରୁ ବହିସ୍କୃତ ହୋଇଥିଲେ । ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପନିରସେଲଭମ ଓ AIADMK ଅନ୍ୟତମ ମୁଖ୍ୟମନ୍ତ୍ରୀ ପଲାନିସାମିଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।