ଭୋପାଳ: ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା କଂଗ୍ରେସଶାସିତ ରାଜ୍ୟ ମଧ୍ୟ ପ୍ରଦେଶରେ ଆଜି ଦଳର ଚର୍ଚ୍ଚିତ ନେତା ରାହୁଲ ଗାନ୍ଧୀ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ବିଜେପି ଓ ଏହାର ମୂଳ ଆଦର୍ଶବାଦ ସଂଗଠନ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ(ଆର୍ଏସ୍ଏସ୍)କୁ ଟାର୍ଗେଟ କରିଛନ୍ତି । ବର୍ଷିୟାନ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କର ଏକ ପୁସ୍ତକର ଉକ୍ତିକୁ ଉଦ୍ଧୃତ କରି ରାହୁଲ କହିଛନ୍ତି, ମଧ୍ୟ ପ୍ରଦେଶ ହିଁ ଭାରତୀୟ ଜନତା ପାର୍ଟିର ପ୍ରକୃତ ପ୍ରୟୋଗଶାଳା, ଗୁଜୁରାଟ ନୁହେଁ । ଏଠି ମୃତ ଲୋକଙ୍କୁ ମଧ୍ୟ ଚିକିତ୍ସା କରି ସେମାନଙ୍କ ଟଙ୍କା ମଧ୍ୟ ଲୁଟାଯିବାର ପ୍ରୟୋଗ କରାଯାଇପାରେ । ମଧ୍ୟ ପ୍ରଦେଶ ବ୍ୟତୀତ ଅନ୍ୟ କେଉଁଠାରେ ମୃତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବାର ଉଦାହରଣ ମିଳିବ ନାହିଁ । ବିଜେପିର ଏହି ଲାବୋରଟୋରୀରେ ଭଗବାନ ଶିବଙ୍କଠାରୁ ମଧ୍ୟ ଚୋରି ହେବା ସମ୍ଭବ ବୋଲି କଟାକ୍ଷରେ ରାହୁଲ କହିଥିଲେ ।
ଆଜି ଶାହଦୋଲ ଜିଲ୍ଲାରେ ଆୟୋଜିତ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ ରାଜ୍ୟର ଏକାଧିକ ପ୍ରସଙ୍ଗ ଉଠାଇ ରାହୁଲ ଶାସନରେ ଥିବା ଶିବରାଜ ସରକାରକୁ ଟାର୍ଗେଟ କରିଥିଲେ । ରାଜ୍ୟରେ ବ୍ୟାପମ୍ ଦୁର୍ନୀତି (Vyapam scam) ଯୁବପିଢ଼ିଙ୍କ ଭବିଷ୍ୟତକୁ ଅନ୍ଧାର କରିଦେଇଛି । ଏହି ଦୁର୍ନୀତି ଫଳରେ ରାଜ୍ୟରେ ଏକ କୋଟି ଯୁବପିଢ଼ିଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି । ମେଡ଼ିକାଲ ଶିକ୍ଷା ପାଇଁ ଏମବିବିଏସ୍ ସିଟ୍ ବିକ୍ରି କରାଯାଉଛି । ପଟ୍ଟଓ୍ବାରୀ ଚାକିରି ଖଣ୍ଡେ ପାଇଁ ମଧ୍ୟ 15 ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ୁଛି । ବିଜେପି ନେତାଙ୍କ ଭାଷାରେ ମଧ୍ୟ ପ୍ରଦେଶ ହେଉଛି ଦଳର ପ୍ରୟୋଗଶାଳା । ଏଠି ସେମାନଙ୍କ ଦଳର ନେତା ଆଦିବାସୀଙ୍କ ଉପରେ ପରିସ୍ରା କଲେ । ରାଜ୍ୟରେ ପ୍ରତିଦିନ ମହିଳାମାନେ ଦୁଷ୍କର୍ମର ଶିକାର ହେଉଛନ୍ତି ବୋଲି ରାହୁଲ କହିଛନ୍ତି ।
ରାଜ୍ୟରେ ଗତ 18 ବର୍ଷରେ 18 ହଜାର କୃଷକଙ୍କ ପ୍ରାଣ ଯାଇଛି । ଏବେ ମଧ୍ୟ ପ୍ରତ୍ୟେକ ଦିନ ବିଜେପିର ଏହି ପ୍ରୟୋଗଶାଳା ରାଜ୍ୟରେ ହାରାହାରି 3 ଜଣ କୃଷକ ଜୀବନ ହାରୁଛନ୍ତି । ଏପରିକି ଚାଷରେ ବ୍ୟବହୃତ କୀଟନାଶକରେ ମଧ୍ୟ ସେମାନେ (ବିଜେପି ସରକାର) ଜିଏସଟି ଲାଗୁ କରିଛନ୍ତି । ରାଜଧାନୀ ଭୋପାଲରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହେଲେ, ଏହାକୁ ବାଧା ଦେବାରୁ ତାଙ୍କ ଭାଇଙ୍କୁ ପୋଲିସ ସମ୍ମୁଖରେ ହତ୍ୟା କରାଗଲା । ବିଜେପିର ପ୍ରୟୋଗଶାଳା ରାଜ୍ୟରେ ଏପରି ଶାସନ ଚାଲିଛି ବୋଲି ରାହୁଲ କହିଛନ୍ତି ।