ଭୋପାଳ:ସ୍ପଷ୍ଟ ଦିବାଲୋକରେ ମୁହଁରେ ମାକ୍ସ ପିନ୍ଧି ଆସିଲେ ଦୁଇ ଯୁବକ । ବସଷ୍ଟାଣ୍ଡ ପରି ଜନଗହଳିପୂର୍ଣ୍ଣ ସ୍ଥାନରୁ ଯୁବତୀଙ୍କୁ ଅପହରଣ କରିନେଲେ । ସମସ୍ତେ ଦେଖୁଥିଲେ, କେହି ବାଧା ଦେଲେନାହିଁ । କିନ୍ତୁ ଅପହରଣର ସମସ୍ତ ଘଟଣାକ୍ରମ ନିକଟରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଭିଡିଓ ଏବେ ଲୋକଲୋଚନକୁ ଆସିବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଖୋଜିବାରେ ଲାଗିଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ଏପରି ଏକ ଦୃଶ୍ୟ ମଧ୍ୟ ପ୍ରଦେଶର ଗ୍ବାଲିୟର ସହରରେ ଦେଖିବାକୁ ମିଳିଛି ।
ସିସିଟିଭିରେ ରେକର୍ଡ ହୋଇଥିବା ଭିଡିଓ ଅନୁସାରେ, ଦୁଇଜଣ ମାକ୍ସ ପିନ୍ଧିଥିବା ଯୁବକ ଏକ ବାଇକରେ ଆସୁଛନ୍ତି । ବସଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପ ନିକଟରେ ଅଟକୁଛନ୍ତି । ଜଣେ ଯୁବକ ହାଇକରେ ବସିଥିବା ବେଳେ ଅନ୍ୟ ଜଣେ ଯୁବକ କିଛି ଦୂର ଯାଇ ଜଣେ ଯୁବତୀଙ୍କୁ ଘୋଷାଡି ଆଣୁଛି । ଯୁବତୀ ଜଣକ ସେମାନଙ୍କୁ କବଳରୁ ରକ୍ଷା ପାଇବା ପାଇଁ ସଂଘର୍ଷ ମଧ୍ୟ କରୁଛନ୍ତି । ନିକଟରେ ବହୁଲୋକେ ନଜର ଆସୁଥିବା ବେଳେ କେହି ଏପରି ଘଟଣାକୁ ପ୍ରତିବାଦ ମଧ୍ୟ କରୁନାହାନ୍ତି । ଯୁବକ ଦୁଇଜଣ ଯୁବତୀଙ୍କୁ ଟେକିନେଇ ବାଇକରେ ଘଟଣାସ୍ଥଳରୁ ଫେରାର ହୋଇଯାଉଛନ୍ତି ।
ଅପହରଣ ପରେ ଯୁବତୀଙ୍କ ପରିବାର ସଦସ୍ୟ ସ୍ଥାନୀୟ ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ସେମାନେ କୌଣସି କାମରେ ଆଜି ସକାଳେ ବସରେ ଭିଣ୍ଡରୁ ଗ୍ବାଲିୟର ଆସିଥିଲେ । ସକାଳେ ସେମାନେ ବସରୁ ଓହ୍ଲାଇ ସେମାନଙ୍କ ଲଗେଜ ବାହାର କରୁଥିବା ବେଳେ ନିକଟରେ ଯୁବତୀ ଜଣକ ଛିଡା ହୋଇଥିଲେ । ସେହି ସମୟରେ ଏହି ଦୁଇ ମାସ୍କପିନ୍ଧା ଯୁବକ ଯୁବତୀଙ୍କୁ ବାଇକରେ ଅପହରଣ କରିନେଇଥିଲେ । ଝାନ୍ସି ରୋଡ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।