ଭୋପାଳ: କିଏ ହେବ ମଧ୍ୟପ୍ରଦେଶ ମହାରାଜା । ସତ ହେବ ଏକଜିଟ ପୋଲ ନା ବଦଳିବ ଧାରା । କମଳ ଫୁଟିବ ନା କମାଲ କରିବେ କମଳନାଥ । ମଧ୍ୟପ୍ରଦେଶ ସମେତ 4 ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ । ଅପରାହ୍ନ ସୁଦ୍ଧା ଚିତ୍ର ସ୍ପଷ୍ଟ ହୋଇଯିବ ମଧ୍ୟପ୍ରେଦଶ ଜନତା ଜନାର୍ଦ୍ଦନ କାହାକୁ ଜନାଦେଶ ଦେଇଛନ୍ତି । ରାଜ୍ୟରେ ପଦ୍ମ ଫୁଟିବା ନା କମଳନାଥଙ୍କ ହାତକୁ କ୍ଷମତା ଆସିବ ତାହା ଜଣାପଡିବ । ରାଜ୍ୟର 230 ଆସନରେ ବିଜେପି ଓ କଂଗ୍ରେସ ସମେତ ମୋଟ 2533 ପ୍ରାର୍ଥୀଙ୍କର ପରୀକ୍ଷା ଫଳ ବାହାରିବ । 5 କୋଟି 60 ଲକ୍ଷ ଭୋଟଙ୍କ ହାତରେ ଗତ ନଭେମ୍ବର 17 ତାରିଖରେ ଏମାନଙ୍କ ଭାଗ୍ୟ ସିଲ ହୋଇଥିଲା । ବୁଥ ବାହୁଡା ଆକଳନ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହେବ ।
କମଳ ନା କମଳନାଥ: ମଧ୍ୟପ୍ରଦେଶରେ କମଳ ନା କମଳନାଥ ଏହା ଉପରେ ସମସ୍ତଙ୍କ ନଜର ରହିଛି । ଏହି ପ୍ରଶ୍ନର ଉତ୍ତର ଇଭିଏମ ଖୋଲିବା ପରେ ସ୍ପଷ୍ଟ ହୋଇଯିବ । ଏଠାରେ ବିଜେପି ଓ କଂଗ୍ରେସ ଦୁଇ ଦଳ ନିଜ ନିଜର ବିଜୟ ନେଇ ଦାବି କରିଛନ୍ତି । ନିର୍ବାଚନୀ ଲଢେଇରେ କାହାର ଦାବି ସତ ହେବ କାହାର ପତ୍ତା କଟିବ ଏହି ଚିତ୍ର ସ୍ପଷ୍ଟ ହେବାକୁ ଆଉ କିଛି ଘଣ୍ଟା ବାକି ରହିଛି । କାଉଣ୍ଟିଂ ପୂର୍ବରୁ ଆସିଥିବା ଏକଜିଟ ପୋଲ ମତ ଅନୁସାରେ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବ । ବୁଥବାହୁଡା ମତ କଂଗ୍ରେସ ବିପକ୍ଷରେ ରହିଛି । ମାତ୍ର କମଳନାଥଙ୍କୁ ଏଥର ବିଜେପିର ପରାଜୟ ହେବ ବିଶ୍ବାସ ରହିଛି । ଇଣ୍ଡିଆ ଟୁଡେ ଆକ୍ସିସ ଆକଳନ ଅନୁସାରେ ରାଜ୍ୟରେ ବିଜେପିକୁ 140ରୁ 162 ଆସନ ମିଳିବ । ସେହିପରି କଂଗ୍ରେସକୁ 68ରୁ 90 ଆସନ ମିଳିବ ।
ଏହା ବି ପଢନ୍ତୁ...ଏକଜିଟ୍ ପୋଲ୍: ମଧ୍ୟ ପ୍ରଦେଶରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ଫ୍ରଣ୍ଟଫୁଟରେ ପଦ୍ମଦଳ !