କୋଲକାତା:କୁହାଯାଏ ଅଙ୍ଗଦାନ ମହାପୂଣ୍ୟ ।ସେମତି ନିଜର ଅଙ୍ଗଦାନ କରିମୃତ୍ୟୁ ପରେ ବି ଅମର ହୋଇଯାଇଛନ୍ତି ଓଡ଼ିଆ ପୁଅ ପ୍ରସନ୍ନଜିତ । ନିଜେ ସିନା ଚାଲିଗଲେ ହେଲେ ଅନ୍ୟମାନଙ୍କୁ ଦେଇଗଲେ ନୂଆ ଜୀବନ । ଫୁସଫୁସ ଦେଇ ମୃତ୍ୟୁଶଯ୍ୟାରେ ପଡିଥିବା ପିଲାର ଜୀବନ ବଞ୍ଚାଇଦେଲେ । ପ୍ରସନ୍ନଜିତଙ୍କ ପାଇଁ ପଶ୍ଚିମବଙ୍ଗର ଜଣେ ୧୬ ବର୍ଷୀୟ ନାବାଳକ ନୂଆ ଜୀବନ ପାଇଛନ୍ତି । ତାଙ୍କର ଫୁସଫୁସ ଉକ୍ତ ନାବାଳକ ଶରୀରରେ ସଫଳତାର ସହ ପ୍ରତିରୋପଣ କରାଯାଇଛି । କୋଲକାତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପ୍ରଥମ ଥର ଏପରି ସଫଳ ଫୁସଫୁସ ପ୍ରତ୍ୟାରୋପଣ ହୋଇଛି ।
ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ର ସ୍ବପ୍ନିଲ ବିଶ୍ବାସ । ଚଳିତ ମେ' ମାସରେ ସେ ମୃଦୁ ପାନୀୟ ଭାବି ଭୁଲବଶତଃ କୀଟନାଶକ ପିଇ ଦେଇଥିଲେ । ଫଳରେ ତାଙ୍କ ସ୍ବାସ୍ଥ୍ୟ ପୁରାପୁରି ବିଗିଡି ଯାଇଥିଲା । କୀଟନାଶକ ପ୍ରଭାବରେ ତାଙ୍କର ଶରୀରର ବିଭିନ୍ନ ଆଭ୍ୟନ୍ତରୀଣ ଅଙ୍ଗଗୁଡିକ ନଷ୍ଟ ହୋଇଯାଇଥିଲା । ସ୍ବପ୍ନିଲ ମୃତ୍ୟୁମୁଖରେ ପଡିଯାଇଥିଲେ । କିଡନୀ, ଯକୃତ ଏବଂ ଫୁସଫୁସ ପୁରାପୁରି ଅକାମି ହୋଇଯାଇଥିଲା । ତାଙ୍କର ଫୁସଫୁସକୁ କେହି ପୋଡି ଦେଇଥିବା ଭଳି ଦେଖାଯାଇଥିଲା । ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ସାତ ଦିନ ପରେ ତାଙ୍କୁ ମେଡିକା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳକଙ୍କ ବଞ୍ଚାଇବା ପାଇଁ ଫୁସଫୁସ ପ୍ରତ୍ୟାରୋପଣ ଏକମାତ୍ର ଉପାୟ ବୋଲି ଡାକ୍ତର କହିଥିଲେ । ଫଳରେ ପରିବାର ଲୋକେ ଅଙ୍ଗଦାତା ସନ୍ଧାନରେ ଲାଗି ପଡିଥିଲେ ।