ଚଣ୍ଡିଗଡ : ଆଜି (ଗୁରୁବାର) ମଧ୍ୟାହ୍ନରେ ଲୁଧିଆନାର ଜିଲ୍ଲା କୋର୍ଟରେ ବିସ୍ଫୋରଣ ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଆଜିର ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ମୃତ ବ୍ୟକ୍ତି ଜଣଙ୍କ ହିଁ ବୋମା ବିସ୍ଫୋରଣର ପ୍ରକୃତ ଷଡଯନ୍ତ୍ରକାରୀ ବୋଲି ପ୍ରାଥମିକ ଭାବେ ସନ୍ଦେହ କରୁଛି ପୋଲିସ । ସେହିପରି ଏହି ହାମଲା ପଛରେ ଆତଙ୍କୀ ଲିଙ୍କ ଥିବା ସନ୍ଦେହକୁ ମଧ୍ୟ ଏଡାଇ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ।
ଆଜି କୋର୍ଟ ପରିସରରେ ଏପରି ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଏନଭି ରମଣା । ନ୍ୟାୟିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ କୋର୍ଟରେ ପ୍ରମୁଖ ଭୂମିକା ଥିବାବେଳେ ସେଠାରେ ସୁରକ୍ଷା ନମିଳିବା ନେଇ CJI ଚିନ୍ତା ବ୍ୟକ୍ତ କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ହସ୍ପିଟାଲରେ ଆହତଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆସରିଛି । ଖୁବ ଶୀଘ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ ।
ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ଗଣମାଧ୍ୟମକୁ କହିଛନ୍ତି, ପଞ୍ଜାବ ଏକ ସୀମାବର୍ତ୍ତୀ ରାଜ୍ୟ ହୋଇଥିବାରୁ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଷଡଯନ୍ତ୍ର ହୋଇଥାଇ ପାରେ । ବାହ୍ୟ ଆତଙ୍କବାଦୀ ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା ସନ୍ଦେହକୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ପାଇଁ କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ରାନ୍ଧାଓ୍ବା ।