ଓଡିଶା

odisha

ETV Bharat / bharat

FCI ଅଫିସରଙ୍କ ଘରେ ପଶି ପତ୍ନୀଙ୍କ ଗଳା କାଟିଲେ ଦୁର୍ବୃତ୍ତ

ଦିନ ଦିପହରେ ଏଫସିଆଇ ଅଫିସରଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ହତ୍ୟାକାଣ୍ଡ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅଧିକ ପଢନ୍ତୁ

ଏଫସିଆଇ ଅଫିସରଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା
ଏଫସିଆଇ ଅଫିସରଙ୍କ ପତ୍ନୀଙ୍କୁ ଗଳାକାଟି ହତ୍ୟା

By

Published : May 20, 2023, 1:59 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଘଟିଛି ଲୋମହର୍ଷଣକାରୀ ଘଟଣା । ଶୁକ୍ରବାର ଏଫସିଆଇ ଅଫିସରଙ୍କ ଘରେ ପଶି ତାଙ୍କ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଦିନ ଦିପ୍ରହରରେ ଏଭଳି ନାରକୀୟ କାଣ୍ଡ ଘଟାଇବା ପରେ ହତ୍ୟାକାରୀ ଫେରାର ଥିବା ଜଣାପଡିଛି । ଫୁଡ କର୍ପୋରେସନ ଅଫ ଇଣ୍ଡିଆ( FCI)ରେ କାର୍ଯ୍ୟରତ ଆଦର୍ଶ କୁମାର ସିଂଙ୍କ ପତ୍ନୀ ଅନାମିକାଙ୍କ ଗଳା କାଟି ହତ୍ୟା କରିଛନ୍ତି ଅଜଣା ବ୍ୟକ୍ତି । ହତ୍ୟାକାଣ୍ଡ ସମୟରେ ଘରେ ଶିଶୁପୁତ୍ର ସହ ଆଦର୍ଶଙ୍କ ପତ୍ନୀ ଉପସ୍ଥିତ ଥିଲେ । ସନ୍ଧ୍ୟା ସମୟରେ ଅଫିସରୁ ଫେରିବା ପରେ ପତ୍ନୀଙ୍କୁ ହତ୍ୟା କରାଯାଇଥିବା ଜାଣିବାକୁ ପାଇଥିଲେ ଆଦର୍ଶ । ଛୁରୀ ସାହାଯ୍ୟରେ ମହିଳାଙ୍କ ଗଳା କଟାଯାଇଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ ।

ଆଦର୍ଶଙ୍କ ଘରର ଉପରମହଲାରେ ରହୁଥିବା ମହିଳାଙ୍କ ବୟାନ ମୁତାବକ, ସେ ତାଙ୍କ ପିଲାକୁ ସ୍କୁଲରୁ ଆଣି ଫେରିବା ସମୟରେ ହଠାତ୍ ଏକ ଚିତ୍କାର ଶୁଣିବାକୁ ପାଇଥିଲେ । ତେବେ ଅନାମିକା ତାଙ୍କ ପୁଅକୁ ଡାକିବା ଭଳି ଶବ୍ଦ ଶୁଣିବା ପରେ ସେ ତାଙ୍କ ପୁଅ ସହ ଖେଳୁଥିବେ ବୋଲି ଅନୁମାନ କରିଥିଲେ ପଡୋଶୀ । ପରେ ମହିଳା ଜଣକ ନିଜ ସ୍ବାମୀଙ୍କ ସହ ପହଞ୍ଚି ଦେଖିବାକୁ ପାଇଥିଲେ ଛାତିଥରା ଦୃଶ୍ୟ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅନାମିକା ପଡ଼ିଥିବାର ଦେଖିବା ପରେ ସେମାନଙ୍କ ହୋସ୍ ଉଡ଼ିଯାଇଥିଲା । ତେବେ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଲା ଦୁବୃର୍ତ୍ତମାନେ ଅନାମିକାଙ୍କ ହତ୍ୟା କରିଥିବାବେଳେ ତାଙ୍କ ଶିଶୁପୁତ୍ର ସୁରକ୍ଷିତ ଥିବା ଜଣାପଡ଼ିଛି । ତୁରନ୍ତ ଅନାମିକାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ପୋଲିସ ଓ ଫରେନ୍ସିକ୍ ଟିମ୍ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଛାନଭିନ୍ କରିଛନ୍ତି । ଘଟଣାକୁ ଗୁରୁତର ସହ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଡିସିପି ହୃଦେଶ କୁମାର । ଏହାସହ ଘରର ଆଖପାଖରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୋଲିସ । ଫୁଟେଜ ଆଧାରରେ ଏକ ଯୁବକ ଘର ଭିତରକୁ ଆସି ବାହାରି ଯାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସନ୍ଦିଗ୍ଧ ଯୁବକ ଜଣକଙ୍କ ପରିଚୟ ଖୋଜିବା ସହ ତଦନ୍ତ ଜାରି ରଖିଛି ପୋଲିସ। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । ବର୍ତ୍ତମାନ ଏହା କ୍ରାଇମସ୍ପଟ୍ ପାଲଟିଥିବାବେଳେ ଦିନଦିପ୍ରହରରେ ଘରେ ପଶି ଦୁର୍ବୃତ୍ତଙ୍କ ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ABOUT THE AUTHOR

...view details