ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ଓ ମେଣ୍ଟ ସେମାନଙ୍କ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ବିଜେପିର ବିଜୟକୁ ମାତ ଦେବା ପାଇଁ 26ଟି ରାଜନୈତିକ ଦଳ ‘ଇଣ୍ଡିଆ’ ବ୍ୟାନରରେ ଏକାଠି ହୋଇଛନ୍ତି । ହେଲେ 38ପାର୍ଟିକୁ ନେଇ ଶକ୍ତି ଦେଖାଇଛି ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଶାସକ ମେଣ୍ଟ ‘ଏନଡିଏ’ । ଏହାରି ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶାସକ ମେଣ୍ଟର ସାଂସଦଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବା ଆରମ୍ଭ କରିବେ ।
ପ୍ରଧାନମନ୍ତ୍ରୀ ଆସନ୍ତାକାଲି (ଜୁଲାଇ 31)ରୁ ଅଗଷ୍ଟ 10 ପର୍ଯ୍ୟନ୍ତ ଏନଡିଏ ସହଯୋଗୀ ଦଳର ସାଂସଦମାନଙ୍କ ସହ ପର୍ଯ୍ୟାୟକ୍ରମେ ଆଲୋଚନା କରିବେ । ମଙ୍ଗଳବାର ରାଜଧାନୀରେ ବିଜେପି ନେତାମାନେ ଏକ ବୈଠକ କରିଥିଲେ । ଯେଉଁଥିରେ 2024 ସାଧାରଣ ନିର୍ବାଚନ ପାଇଁ ଗ୍ରହଣ ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା ପାଇଁ ଏନ୍ଡିଏ ସାଂସଦଙ୍କ ମୋଟ 10ଟି ଦଳ ଗଠନ କରାଯାଇଥିଲା । ଏହି 10 ସାଂସଦଙ୍କ ଦଳ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ଯ୍ୟାୟକ୍ରମେ ଆଲୋଚନା କରିବାକୁ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି(ସୋମବାର) ସଂଧ୍ୟାରେ ମହାରାଷ୍ଟ୍ର ସଦନରେ ପଶ୍ଚିମ ଉତ୍ତର ପ୍ରଦେଶ, ବୁନ୍ଦେଲଖଣ୍ଡ ଏବଂ ବ୍ରିଜ କ୍ଷେତ୍ରର ଏନ୍ଡିଏ ମେଣ୍ଟର ସାଂସଦଙ୍କ ଗୋଷ୍ଠୀ ସହିତ ଆଲୋଚନା ଆରମ୍ଭ କରିବେ । ଏହି ଆଲୋଚନାରେ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ରହିବା ନେଇ ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ଓଡିଶାର ଏନଡିଏ ସାଂସଦଙ୍କ ଗୋଷ୍ଠୀ ସହିତ ସଂଧ୍ୟା 7ରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି ।