ଲକ୍ଷ୍ନୌ:ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ବିଭିନ୍ନ ପ୍ରକାରର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ଯାହା ମହିଳାଙ୍କ ତ୍ୱଚାକୁ ଗ୍ଲୋ କରାଇବା ସହ ସୁନ୍ଦର ଦିଶିବାରେ ସାହାଯ୍ୟ କରିଥାଏ । ହେଲେ ଆଖିରେ କଜଳ ଲଗାଇଲେ ସୁନ୍ଦରତା ଆହୁରି ଦ୍ବିଗୁଣିତ ହୋଇଯାଏ ।ତେଣୁ ମହିଳାଙ୍କର ସବୁଠୁ ପ୍ରିୟ ହେଉଛି କଜଳ । ଆଖି ସୁନ୍ଦର ଦେଖାଯିବା ପାଇଁ କଜଳ ଲଗାଇବାକୁ ସବୁ ମହିଳା ପସନ୍ଦ କରିଥାନ୍ତି । ସେହିପରି ବିଶ୍ବାସ ରହିଛି ଯେ କଜଳ ଲଗାଇବା ଦ୍ବାରା ଆଖି ସୁନ୍ଦର ଦେଖାଯାଏ । ହେଲେ ଏହାକୁ ନେଇ ଭିନ୍ନ ମତ ପ୍ରକାଶ କରିଛନ୍ତି ଚକ୍ଷୁ ବିଶେଷଜ୍ଞ ।
ଉତ୍ତରପ୍ରଦେଶ ବଲରାମପୁର ହସ୍ପିଟାଲର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ. ସଞ୍ଜୀବ ଗୁପ୍ତା କହିଛନ୍ତି ଯେ, ଏହା କେବଳ ଏକ ଭୁଲ ଧାରଣା। ଅବଶ୍ୟ କଜଳ ଲଗାଇବା ଦ୍ବାରା ମୁହଁ ସୁନ୍ଦର ଦେଖାଯାଏ । କିନ୍ତୁ ଆଖି ବଡ଼ ଏବଂ ସୁସ୍ଥ ରହିବା ନେଇ ଥିବା ବିଶ୍ୱାସ ବୈଜ୍ଞାନିକ ଦୃଷ୍ଟିକୋଣରୁ ଆଦୌ ଯଥାର୍ଥ ନୁହେଁ । ଅନେକ ଥର ଆପଣ ହୁଏତ ଧ୍ୟାନ ଦେଇଥିବେ ଯେ କଜଳ ଲଗାଇବା ଦ୍ବାର ବେଳେବେଳେ ଆପଣଙ୍କ ଆଖି ପୋଡିବା କିମ୍ବା ଆଖି ବହୁତ ଶୁଖିଲା ଲାଗେ । ଆଉ ଏହି ଆଖି ସମସ୍ୟା ସଂକ୍ରମଣର କାରଣ ହୋଇପାରେ । ଆମର ତଳ ଆଖିରେ ପ୍ରାୟ 30-35 ଗ୍ରନ୍ଥି ଅଛି ଯାହା ଆଖିରେ ଲୁହ ରଖିବା ପାଇଁ ତେଲ ଉତ୍ପାଦନ କରିଥାଏ । ଆଖିର ହାଇଡ୍ରେସନ୍ ପାଇଁ ଲୁହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଗୁଡିକ ପରିବେଶର ଅନେକ କ୍ଷତିକୁ ରୋକିବାରେ ସାହାଯ୍ୟ କରେ ଏବଂ ଆଖି ଉପରେ ଏକ ପ୍ରତିରକ୍ଷା ସ୍ତର ସୃଷ୍ଟି କରେ, ଯାହାଦ୍ୱାରା ଆଖିକୁ ରକ୍ଷା କରେ । କିନ୍ତୁ କଜଳ ଲଗାଇବା ଦ୍ବାରା ତେଲ ଗ୍ରନ୍ଥି ଗୁଡ଼ିକୁ ଅବରୋଧ କରିଥାଏ ଯାହାଦ୍ବାରା ଅନେକ ଆଖି ସମସ୍ୟା ସୃଷ୍ଟି ହୋଇଥାଏ ।