ରାୟପୁର:ଛତିଶଗଡ଼ରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି । ଏଠାରେ ମହାଦେବ ଶିବଙ୍କୁ ମିଳିଛି ହାଇକୋର୍ଟଙ୍କ ନୋଟିସ । ଖାଲି ସେତିକି ନୁହେଁ କେଉଁଦିନ କୋର୍ଟରେ ଆସି ହାଜର ହେବେ ସେନେଇ ତାରିଖ ମଧ୍ୟ ଦିଆଯାଇଛି । ଛତିଶଗଡ଼ ରାୟଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ।
ବେଆଇନ ଭାବରେ ଜମି ଜବରଦଖଲ କରିଥିବା ଅଭିଯୋଗରେ ରାୟଗଡ଼ ତହସିଲରେ ୧୦ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । ୧୦ ଜଣଙ୍କ ମଧ୍ୟରେ ମହାଦେବ ଶିବ ମଧ୍ୟ ସାମିଲ ରହିଛନ୍ତି । ଏହି ମାମଲାର ଆଗାମୀ ଶୁଣାଣି ମାର୍ଚ୍ଚ ୨୫ ତାରିଖରେ ହେବ । କୋର୍ଟରେ ହାଜର ନହେଲେ ପକ୍ଷଭୁକ୍ତଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ହେବ ।
ରାୟଗଡ଼ ତହସିଲ ୨୫ ନମ୍ବର ୱାର୍ଡରେ ରହୁଥିବା ସୁଦ୍ଧା ରଜୱାଡେ ବିଳାଶପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ଏକ ସରକାରୀ ଜମିରେ ଶିବ ମନ୍ଦିର ତିଆରି ହୋଇଥିବା ନେଇ ୧୬ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାରୁ ଯାଞ୍ଚ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତହସିଲଦାର ଏହାର ଯାଞ୍ଚ କରି ୩ ଦିନ ମଧ୍ୟରେ ରିପୋର୍ଟ ଦେଇଥିଲେ ।