କୋଲକାତା:ଅଯୋଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଥିବା ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରିବାକୁ ନେଇ ଅସନ୍ତୁଷ୍ଟ ଥିବା ପୁରୀ ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ଆଜି ପୁଣି ଏକ ବଡ ବୟାନ ଦେଇଛନ୍ତି । ପ୍ରଭୁ ଶ୍ରୀରାମ ଧର୍ମ ନିରପେକ୍ଷ ନଥିଲେ ବୋଲି ସ୍ବାମୀଜୀ କହିଛନ୍ତି । ସେହିପରି ସେ ଅଯୋଧ୍ୟାରେ ହେବାକୁ ଥିବା ପ୍ରତିଷ୍ଠା ଉତ୍ସବ ଶାସ୍ତ୍ରସମ୍ମତ ବିଧି ଅନୁସାରେ ହେବା ଉଚିତ ବୋଲି କହିଛନ୍ତି ।
ପୂର୍ବରୁ ସେ କହିସାରିଛନ୍ତି ଯେ ସେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ ନାହିଁ । ଧାର୍ମିକ ସ୍ଥାନ ଗୁଡିକ ଏବେ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯାଇ ସାରିଲାଣି ବୋଲି ସେ ଅଭିଯୋଗ କରିଛନ୍ତି । ଆଜି ପଶ୍ଚିମବଙ୍ଗ ହାୱାଡାରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ପାଇଁ ପହଞ୍ଚିଥିବା ସ୍ବାମୀଜୀ ପୁଣି ଥରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟପ୍ରଣାଳୀକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ସ୍ବାମୀଜି କହିଛନ୍ତି, ଧର୍ମଗୁରୁ (ସେ) କାହିଁକି ଅଂଶଗ୍ରହଣ କରୁନାହାନ୍ତି, ତାହାର କାରଣ ସମସ୍ତଙ୍କୁ ଜଣାଅଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ମନ୍ଦିରର ଗର୍ଭଗୃହରେ ବିଗ୍ରହକୁ ସ୍ପର୍ଶ କରି ସ୍ଥାପନ କରିବେ । ଏହାକୁ ରାଜନୈତିକ ରଙ୍ଗ ଦିଆଯାଉଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କର ବଗ୍ରହ ପ୍ରତିଷ୍ଠା ଉତ୍ସବ ଶାସ୍ତ୍ରସମ୍ମତ ବିଧି ଅନୁସାରେ ହେବା କଥା । ସେ ଏହାକୁ ବିରୋଧ କରୁନାହାନ୍ତି । ମାତ୍ର ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ । ତାଙ୍କୁ ମାତ୍ର ଜଣେ ଅନୁଗାମୀଙ୍କ ସହ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ କରାଯାଇଛି । ହେଲେ ସେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ।