ଲଣ୍ଡନ: ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେଉଛି ସୁଦୂର ଲଣ୍ଡନର ଦିବ୍ୟାଙ୍ଗ Uber ଡ୍ରାଇଭର 'ଓନର'ଙ୍କ ମିଠାଳିଆ ବାର୍ତ୍ତା । ଡ୍ରାଇଭର ଜଣକ ବଧିର ହୋଇଥିବାବେଳେ ତାଙ୍କ ହାତଲେଖା ବାର୍ତ୍ତା ଅନେକ ଯାତ୍ରୀଙ୍କୁ ଗୋଟିଏ ସେକେଣ୍ଡରେ କରୁଛି ଆପଣା । କାରଣ ଓନର ନିଜ ଯାତ୍ରୀଙ୍କୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନ କରାଇବା ପାଇଁ ଏଭଳି ବାର୍ତ୍ତା ଦେଇ ଏକ ଉତ୍ତମ ସେବା ଯୋଗାଇବା ପାଇଁ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି ।
ଆମେ ସାଧାରଣତଃ ଡ୍ରାଇଭରଙ୍କ ସହିତ ସେପରି ବାର୍ତ୍ତାଳାପ କରିନଥାଉ । କେବଳ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଛାଡିବାରେ ଡ୍ରାଇଭର ଜଣକ ସାହାଯ୍ୟ କରିଥାଏ । ଆଉ କିଛି ଯାତ୍ରୀ ଡ୍ରାଇଭର ସହିତ କଥାବାର୍ତ୍ତା ମଧ୍ୟ କରିଥାନ୍ତି । କିନ୍ତୁ ଲଣ୍ଡନର ଜଣେ ଯାତ୍ରୀ Jeremy Abbott ହଠାତ୍ ଓନରଙ୍କ କାରରେ ବସିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ କାରରେ ଲାଗିଥିଲା ଏକ ବୋର୍ଡ, ଯେଉଁଥିରେ ଓନର ଯାତ୍ରୀଙ୍କ ପାଇଁ କିଛି ବାର୍ତ୍ତା ଲେଖିଥିଲେ । ଓନର ବଧିର ହୋଇଥିବାରୁ ଏ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ଏପରି ପଛ ସିଟରେ ଯାତ୍ରୀଙ୍କ ପାଇଁ ବାର୍ତ୍ତା ଲେଖିଥିଲେ ସେ । ଯେପରି ଯାତ୍ରୀ କୌଣସି ଅସୁବିଧା ଓ ଦ୍ବନ୍ଦ୍ବର ଶିକାର ନ ହେବେ ।