ନୂଆଦିଲ୍ଲୀ:ସଂସଦ ବଜେଟ ଅଧିବେଶନର ଆଜି ନବମ ଦିନ । ଗତ 31 ରୁ ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟର ଆଜି ହେଉଛି ଶେଷ ଦିନ । ତେବେ ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ପ୍ରଶ୍ନକାଳରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସମ୍ବନ୍ଧିତ ପ୍ରସ୍ତାବ ଥିଲା । ଏଥିରେ ଏକାଧିକ ସାଂସଦ ଭାଗ ନେଇ ଏକାଧିକ ପ୍ରଶ୍ନ କରିଛନ୍ତି ।
କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ପ୍ରଶ୍ନକାଳରେ ପ୍ରତିରକ୍ଷା ମନ୍ତ୍ରଣାଳୟର ନିଯୁକ୍ତି ସମ୍ପର୍କିତ ଏକ ପ୍ରଶ୍ନ କରି ମନ୍ତ୍ରୀଙ୍କ ଠାରୁ ଜବାବ ମାଗିଥିଲେ । ଭର୍ତ୍ତୃହରି କହିଛନ୍ତି ଦିଆଯାଇଥିବା ଉତ୍ତରରେ ଯାହା ମିଳିଛି ସେଥିରେ ପାର୍ଥକ୍ୟ ରହିଛି । 2018-19 ରେ 53 ହଜାର 431 ନିଯୁକ୍ତି ପାଇଁ ବିଜ୍ଞପ୍ତି ଦିଆଯାଇଥିଲା । 2019-20 ରେ 80 ହଜାର 572 ପଦବୀ ପୂରଣ ପାଇଁ ବିଜ୍ଞପ୍ତି ହୋଇଥିଲା । କିନ୍ତୁ ସଂସଦରେ ମିଳିଥିବା ଉତ୍ତର ଅନୁସାରେ 2018-19 ପାଇଁ 57 ହଜାର 40 ପଦବୀ ପୂରଣ ପାଇଁ ବିଜ୍ଞପ୍ତି ହୋଇଥିବା କୁହାଯାଇଛି ।