ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଶାସକ ଭାରତୀୟ ଜନତା ପାର୍ଟି ଆଣିଥିବା ସ୍ବାଧୀକାର ଭଙ୍ଗ ଅଭିଯୋଗର ଶୁଣାଣି କରିବ ଲୋକସଭାର ସ୍ବାଧୀକାର କମିଟି । ଚଳିତ ମାସ 10 ତାରିଖରେ ସ୍ବାଧୀକାର କମିଟିର ଏକ ପ୍ୟାନେଲ ଏହି ଶୁଣାଣି କରିବା ନେଇ ସୂଚନା ମିଳିଛି । ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାହୁଲ ଗୃହରେ ବିଭ୍ରାନ୍ତିକର, ଅଣସଂସଦୀୟ ଓ ଅଭିଯୋଗମୂଳକ ମନ୍ତବ୍ୟ ଦେଇ ଗୃହର ସ୍ବାଧୀକାର ଭଙ୍ଗ କରିଥିବା ବିଜେପି ଅଭିଯୋଗ କରିଥିଲା । ଲୋକସଭା ସ୍ବାଧୀକାର କମିଟି ଏହି ଅଭିଯୋଗର ଶୁଣାଣି କରି ରାହୁଲଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି କରିଥିଲା ବିଜେପି ।
ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତମାସ (ଫେବୃଆରୀ) 7 ରେ ରାଷ୍ଟ୍ରପତିଙ୍କ ସମ୍ବୋଧନର ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ଗୃହରେ ଏପରି ବିଭ୍ରାନ୍ତିକର ମନ୍ତବ୍ୟ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୃହର ସ୍ବାଧୀକାର ଭଙ୍ଗ କରିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖିଥିଲେ । ପରେ ସମାନ ଅଭିଯୋଗ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ କରିଥିଲେ ।ଲୋକସଭା ସାଂସଦ ତଥା ସ୍ବାଧୀକାର କମିଟି ପ୍ୟାନେଲର ଅଧ୍ୟକ୍ଷ ସୁନିଲ ସିଂଙ୍କ ଅଧ୍ୟକ୍ଷତାରେ ଏହି ଅଭିଯୋଗର ଶୁଣାଣି ହେବାକୁ ଯାଉଛି ।