ନୂଆଦିଲ୍ଲୀ: ପରଲୋକରେ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେପି ନେତା ଗିରିଶ ବାପତ । ଦୀର୍ଘ ଦିନ ଧରି ଗିରିଶ ବାପତ ଅସୁସ୍ଥ ଥିଲେ । ପୁଣେ ସ୍ଥିତ ଦୀନାନାଥ ମଙ୍ଗେସ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ଗିରିଶ ବାପତଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଗିରିଶଙ୍କ ମୃତ୍ୟୁ ନେଇ ସମଗ୍ର ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି ।
ସାଂସଦ ଗିରିଶ ବାପତ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ । ଗତ କିଛି ମାସ ଧରି ତାଙ୍କର ଡାଏଲେସିସ କରାଯାଉଥିଲା । ମାତ୍ର ତାଙ୍କର ସ୍ବାସ୍ଥ୍ୟରେ କୌଣସି ସୁଧାର ଆସିନଥିଲା । ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଣେ ସ୍ଥିତ ଦୀନାନାଥ ମଙ୍ଗେସ୍କର ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗିରିଶ ବାପତଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜନେତା ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଉଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଟ୍ବିଟ୍ ଯୋଗେ ଶୋକ ପ୍ରକାଶ କରି କହିଛନ୍ତି, "ଲୋକସଭା ସାଂସଦ ଗିରିଶ ବାପତ ଜଣେ ନମ୍ର ସ୍ବଭାବରେ ଥିଲେ । ସେ ଜଣେ ପରିଶ୍ରମୀ ନେତା ଥିଲେ ଏବଂ ସମାଜ ପାଇଁ କାମ କରୁଥିଲେ । ମହାରାଷ୍ଟ୍ର ବିକାଶ ପାଇଁ ସେ ବହୁ କାମ କରିଛନ୍ତି । ଏଥିସହ ପୁଣେର ଅଭିବୃଦ୍ଧି ପାଇଁ ବିଶେଷ ଆଗ୍ରହୀ ଥିଲେ । ତାଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ । ଗିରିଶଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ପ୍ରତି ମୋର ସମବେଦନା ରହିଛି ।"
ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ତାଙ୍କ ମୃତ୍ୟକୁ ନେଇ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଗିରିଶ ବାପତଙ୍କ ଦେହାନ୍ତରେ ମୁଁ ହୃଦୟରୁ ସମବେଦନା ଜଣାଉଛି । ଜଣେ ଆଦର୍ଶ ଜନ ପ୍ରତିନିଧି ହେବା ପାଇଁ ସେ ତୃଣମୂଳ ସ୍ତରର କର୍ମୀ ଭାବେ ନିଜ ଯାତ୍ରା ଆରମ୍ଭ କରିଥିଲେ ।" ସେହିପିରି କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ସାଂସଦ ସମ୍ବିତ ପାତ୍ରଙ୍କ ସମେତ ବହୁ ନେତାକର୍ମୀ ଶୋକପ୍ରକାଶ କରିବା ସହ ତାଙ୍କ ପରିବାର ପରିଜନଙ୍କୁ ସମବେଦନା ଜଣାଇଛନ୍ତି ।
ଗିରିଶ ବାପତ ବିଜେପି ଦଳରେ ଜଣେ ବହୁତ ଭଲ ନେତା ଥିଲେ । ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନର କର୍ମକର୍ତ୍ତା ଭାବେ ସେ ପ୍ରଥମେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ । ଭାରତରେ ଏମରଜେନ୍ସି ବେଳେ ତାଙ୍କୁ ୧୮ ମାସ ଜେଲ ଦଣ୍ଡ ହୋଇଥିଲା । ଏହାପରେ ୧୯୮୩ ମସିହାରେ ଗିରିଶ ବାପତ ବିଜେପିରେ ସାମିଲ ହୋଇଥିଲେ ଏବଂ ପୁଣେ ମ୍ୟୁନିସିପାଲଟି କର୍ପୋରେସନରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫ରେ ସେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । କେସବା ପେଠ ନିର୍ବାଚନୀ ମଣ୍ଡଳୀରୁ ଗିରିଶ ପାଞ୍ଚଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପରେ ସେ ୨୦୧୯ରେ ପୁଣେର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଆଜି ସନ୍ଧ୍ୟା ୭ଟାରେ ଗିରିଶ ବାପତଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବାର ସୂଚନା ରହିଛି ।