ଓଡିଶା

odisha

ETV Bharat / bharat

Parliament Monsoon Session; ପେଗାସସ ଝଡରେ ଉଭୟ ସଦନ ଅଚଳ - Lok Sabha adjourned till

ଗତକାଲି( ସୋମବାର) ଲୋକସଭା ବାଚସ୍ପତିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିବା ପରେ ଆଜି ସମ୍ଭବତଃ ଆଶା କରାଯାଉଥିଲା ଲୋକସଭା ସ୍ବାଭାବିକ ଅବସ୍ଥାକୁ ଫେରିବ । କିନ୍ତୁ ପୂର୍ବ ପରି ଆଜି ମଧ୍ୟ ଗୃହରେ ଲାଗି ରହିଥି ଅଚଳାବସ୍ଥା ।

Parliament Monsoon Session
Parliament Monsoon Session

By

Published : Jul 27, 2021, 1:08 PM IST

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେସନର ଆଜି ଷଷ୍ଠ ଦିବସ । ସରକାର ଗୋଟିଏ ପଟେ ସଂସଦର ଉଭୟ ସଦନକୁ ଚଳାଇବା ପାଇଁ ଭରପୂର ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ବିରୋଧୀଙ୍କ ନାରାବାଜୀରେ ଧୋଇଯାଉଛି ଗୃହକାର୍ଯ୍ୟ ।

ଗତକାଲି( ସୋମବାର) ଲୋକସଭା ବାଚସ୍ପତିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିବା ପରେ ଆଜି ସମ୍ଭବତଃ ଆଶା କରାଯାଉଥିଲା ଲୋକସଭା ସ୍ବାଭାବିକ ଅବସ୍ଥାକୁ ଫେରିବ । କିନ୍ତୁ ପୂର୍ବ ପରି ଆଜି ମଧ୍ୟ ଗୃହରେ ଲାଗି ରହିଥି ଅଚଳାବସ୍ଥା । ଗତକାଲି ( ସୋମବାର) ଲୋକସଭାରେ ୩ ଟି ବିଲ ସରକାର ଧ୍ବନି ମତରେ ଗୃହତ କରାଇ ନେଇଛନ୍ତି ।

କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତୃତ୍ବରେ ବିରୋଧୀ ଦଳ ଗୁଡିକ ହଙ୍ଗାମା ଜାରି ରଖିଛନ୍ତି । ଏହାସହ ପେଗାସସ ପ୍ରଜେକ୍ଟ ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଏବେ ବିରୋଧୀଙ୍କ ବଡ ମୁଦ୍ଦା ପାଲଟିଛି । ସରକାର କୌଣସି ମତେ ପେଗାସସ ସମ୍ପର୍କରେ ଗୃହରେ ଆଲୋଚନା କରିବା ପାଇଁ ଚାହୁଁନାହାଁନ୍ତି । କିନ୍ତୁ ବିରୋଧୀ ଆଲୋଚନା ଦାବି କରି ଦୀର୍ଘ ୬ ଦିନ ହେଲା ହଙ୍ଗାମା ଜାରି ରଖିଛନ୍ତି । ଯାହାକୁ ନେଇ ଏବେ ସାରା ଦେଶରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଲାଣି ।

ବିଜେପିର ଜରୁରୀ ସଂସଦୀୟ ବୋର୍ଡ ବୈଠକ

ସେପଟେ ଗୃହକୁ ସ୍ବାଭାବିକ କରିବା ଓ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଆଜି ବିଜେପିର ଜରୁରୀ ସଂସଦୀୟ ବୋର୍ଡ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବୋର୍ଡ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି , ଦଳୀୟ ଅଧ୍ୟକ୍ଷ ବିଭିନ୍ନ ନିର୍ଦେଶ ଓ ପରାମର୍ଶ ଦେଇଥିଲେ । ଏହାସତ୍ବେ ଲୋକସଭାରେ ଅଚଳାବସ୍ଥା ଜାରି ରହିଛି ।

କିଏ କଣ ଦେଇଥିଲେ ନୋଟିସ...

ଆଜି ଲୋକସଭାରେ ଆଲୋଚନା ପାଇଁ ବିଭିନ୍ନ ଦଳର ସାଂସଦ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ମୁଲତବୀ ନୋଟିସ ଦେଇଥିଲେ । ଯେଉଁମାନଙ୍କ ମଧ୍ୟରେ ଥିଲେ ଆମ ଆଦମୀ ପାର୍ଟି ସାଂସଦ ଭଗୱନ୍ତ ସିଂ । ଭଗୱନ୍ତ କୃଷି ଆଇନକୁ ବିରୋଧ କରି ଆଇନ ପ୍ରତ୍ୟାହାର ପାଇଁ ମୁଲତବୀ ନୋଟିସ ଦେଇଥିଲେ । କଂଗ୍ରେସ ସାଂସଦ ମୋନିଷ ତିୱାରୀ ପେଗାସସ ପ୍ରଜେକ୍ଟକୁ ନେଇ ଆଲୋଚନା ପାଇଁ ନୋଟିସ ଦେଇଥିଲେ । ସେହିପରି କଂଗ୍ରେସ ସାଂସଦ ଗୌରଭ ଗୋଗୋଇ ଆସାମ-ମିଜୋରାମ ହିଂସାକୁ ନେଇ ଲୋକସଭାରେ ସ୍ବତନ୍ତ୍ର ଆଲୋଚନା ଦାବି କରି ମଧ୍ୟ ନୋଟିସ ଦେଇଥିଲେ ।

ପ୍ରାରମ୍ଭରୁ ହଙ୍ଗାମା...

ଆଶା ଥିଲା ଦେଶର ବିଭିନ୍ନ ପ୍ରାନ୍ତରେ ପ୍ରଳୟଙ୍କାରୀ ବନ୍ୟା, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଭିନ୍ନ ଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ସାଂସଦ ମାନେ ସମ୍ବେଦନଶୀଳ ଥିବେ । ଏହି ସମସ୍ତ ପ୍ରସଙ୍ଗକୁ ନେଇ ଏକାଠି ହେବେ ଓ ଆଲୋଚନା କରି ସଂସଦରୁ ବିପର୍ଯ୍ୟୟଗ୍ରସ୍ତ ପରିବାରକୁ ସମବେଦନା ଜଣାଇବେ । ହେଲେ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବାଚସ୍ପତି ପ୍ରଶ୍ନକାଳ ପାଇଁ ଡାକିଥିଲେ । ବିରୋଧୀ ଚିରାଚରିତ ଭାବେ ପେଗାସସକୁ ନେଇ ବେଲ ଉପରକୁ ଆସି ପାଟିତୁଣ୍ଡ ହୋହାଲ୍ଲା କରିଥିଲେ ।

ବିରୋଧ ପାଇଁ ସାଂସଦ ପ୍ରତିଯୋଗୀତା ନକରନ୍ତୁ...

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀଙ୍କ ହଟ୍ଟଗୋଳକୁ ନେଇ ବାଚସ୍ପତି ଓମ ବିର୍ଲା କ୍ଷୁବ୍ଧ ହୋଇପଡିଥିଲେ । ସଦସ୍ୟ ମାନେ ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥାପନା ଓ ଚର୍ଚ୍ଚା ପାଇଁ ପ୍ରତିଯୋଗୀତା କରିବା ବଦଳରେ କିଏ କେମିତି ଗୃହରେ ବିଶୃଙ୍ଖଳା କରିପାରୁଛି ତାହାକୁ ନେଇ ଚର୍ଚ୍ଚା କରୁଛନ୍ତି । ସାଂସଦ ମାନେ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତୁ ବୋଲି ନିବେଦନ କରିଥିଲେ ବାଚସ୍ପତି ।

ବାରମ୍ବାର ମୁଲତବୀ ଲୋକସଭା...

ବାଚସ୍ପତିଙ୍କ ବାରମ୍ବାର ନିବେଦନ ସତ୍ବେ କୌଣସି ପ୍ରଭାବ ବିରୋଧୀ ସାଂସଦଙ୍କ ଉପରେ ପଡିନଥିଲା । ବିରୋଧୀ ହଙ୍ଗାମାରେ ମାତିଥିଲେ । ଗୃହ ସ୍ବାଭାବିକ ନହେବାରୁ ପ୍ରଥମେ ୧୧.୪୫ ପରେ ୧୨.୧୦ ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖିଥିଲେ । ପରେ ୧୨.୧୦ ରେ ଲୋକସଭା ପୁଣି ଆରମ୍ଭ ହେବାପରେ ସ୍ଥିତି ପୂର୍ବଭଳି ଥିଲା । ଏହାପରେ ବାଚସ୍ପତିଙ୍କ ଅନୁପସ୍ଥିତିରେ କାମଚଳା ବାଚସ୍ପତି ଗୃହକୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ।

ଅନ୍ୟପଟେ ରାଜ୍ୟସଭାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହୋହାଲ୍ଲା ପାଟି ତୁଣ୍ଡରେ ରାଜ୍ୟସଭା ଅଚଳ ହୋଇଥିଲା । ଏହାସତ୍ବେ ଅଧ୍ୟକ୍ଷ ଗୃହକୁ ଚଳାଇବା ପାଇଁ ଉଦ୍ୟମ କରିଥିଲେ । କିନ୍ତୁ ସମ୍ଭବ ନହେବାରୁ ପ୍ରଥମେ ୧୨ ଟା ପରେ ୧୨.୩୦ ଓ ଶେଷରେ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ରାଜ୍ୟସଭାକୁ ମୁଲତବୀ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details