ପାଟନା:ବିଶ୍ବବିଦ୍ୟାଳୟର ସାଂଘାତିକ ତ୍ରୁଟି । ଆଡମିଟ କାର୍ଡରେ ଛାତ୍ରୀଙ୍କ ବଦଳରେ ଲାଗିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ । ଯୁକ୍ତ ତିନି ପରୀକ୍ଷା ପାଇଁ ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ମୋଦିଙ୍କ ଫଟୋ ଲାଗିଥିବାର ଦେଖିବାକୁ ମିଳିଛି । ବିହାର ବେଗୁସରାଇ ସ୍ଥିତ ଲଲିତ ନାରାୟଣ ମିଥିଳା ବିଶ୍ବବିଦ୍ୟାଳୟର ଏଭଳି ଚରମ ଅବହେଳା ସାମ୍ନାକୁ ଆସିଛି । ଯୁକ୍ତ ୩ ଦ୍ବିତୀୟ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଆଡମିଟ କାର୍ଡରେ ତ୍ରୁଟି ଛାତ୍ରଛାତ୍ରୀଙ୍କ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଏହା ପ୍ରଥମ ଥର ନୁହେଁ, ସମ୍ପୃକ୍ତ ବିଶ୍ବବିଦ୍ୟାଳୟ ଦ୍ବାରା ଏଭଳି ଗଡବଡ ବାରମ୍ବାର ହେଉଛି ।
ଏହାମଧ୍ୟ ପଢନ୍ତୁ: ବୋର୍ଡ଼ର ସାଙ୍ଘାତିକ ତ୍ରୁଟି, ଛାତ୍ରୀଙ୍କ ମାର୍କସିଟରେ ଛାତ୍ରଙ୍କ ଫଟୋ
ସୂଚନା ମୁକାବକ, ପୂର୍ବରୁ ଛାତ୍ରଛାତ୍ରୀଙ୍କ ଆଡମିଟ କାର୍ଡରେ ତତ୍କାଳୀନ ରାଜ୍ୟପାଳ ଫଗୁ ଚୌହାନଙ୍କ ଫଟୋ ଲଗା ଯାଇଥିଲା । ଏମିତିକି ସୁପରଷ୍ଟାର ଅମିତାଭ ବଚ୍ଚନ, ସନି ଲିଓନୀ, କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ଭଳି ସେଲିବ୍ରିଟିଙ୍କ ଫଟୋ ବି ଆଡମିଟରେ ଛପା ହୋଇଥିବା ଦେଖାଯାଇଛି । ଏଥର ବେଗୁସରାଇ ଗଣେଶ ଦତ୍ତ ମହାବିଦ୍ୟାଳୟର ଆଝୁଲ କୁମାରୀ ନାମକ ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ଆଡମିଟ କାର୍ଡରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଲଗାଯାଇଥିବା ଘଟଣା ସାମ୍ନାକୁ ଆସିଛି ।