ଲକ୍ଷ୍ନୌ:ପରିବର୍ତ୍ତିତ ସମାଜ ସହିତ ମାନବିକତା ଭୁଲିଯାଉଛି ମଣିଷ । ସାମାନ୍ୟ ଘଟଣାରେ ଏବଂ କ୍ଷମତାର ଅପବ୍ୟବହାର କରି ଘଟାଉଛି ଅମାନବୀୟ କାଣ୍ଡ । ସେହିଭଳି ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁରରୁ । ଏଠାରେ LIU ଇନ୍ସପେକ୍ଟରଙ୍କ ପୁଅ ଜଣେ ଏମସିଏ ଛାତ୍ରଙ୍କୁ ପରିସ୍ରା ପିଆଇବା ସହିତ ଛେପ ଚଟାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏହି କାର୍ଯ୍ୟରେ ଖୋଦ୍ ଇନ୍ସପେକ୍ଟର ମଧ୍ୟ ନିଜ ପୁଅକୁ ସହଯୋଗ କରିଥିବା ନିର୍ଯାତିତ ଛାତ୍ର ଜଣକ ଅଭିଯୋଗ କରିଛନ୍ତି ।
କେବଳ ଏତିକି ନୁହେଁ ନିର୍ଯାତନା ଦେବା ପରେ ତାଙ୍କୁ ଗୁଳିମାଡ କରିବା ପାଇଁ ଚେଷ୍ଟା କରାଯାଇଥିବା ମଧ୍ୟ ଛାତ୍ର ଜଣକ କହିଛନ୍ତି । ଏଭଳି କ୍ରୁରତା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଚହଳ ପଡିଛି । ଅଭିଯୋଗ କ୍ରମେ କଲ୍ୟାଣପୁର ଥାନା ପୋଲିସ ଏଲଆଇୟୁ ଇନ୍ସିପେକ୍ଟର ସହିତ 3 ଜଣଙ୍କୁ ଗିରଫ କରିଥିବା ସୂଚନା ରହିଛି । ସେପଟେ ଇନ୍ସିପେକ୍ଟରଙ୍କ ପୁଅ ଅଭିଯୁକ୍ତ ସନ୍ନି ଯାଦବ ଫେରାର ହୋଇଯାଇଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।
ଇନଷ୍ଟାଗ୍ରାମରେ ଫେକ୍ ଆଇଡି କରି ହୋଇଥିଲା ଯୋଜନା: ନିର୍ଯାତିତ ଛାତ୍ର ଆୟୁଷର ଅଭିଯୋଗ ଅନୁସାରେ, କିଛି ଦିନ ପୂର୍ବରୁ ଦିବ୍ୟାଶିଂ ପାଣ୍ଡେ ନାମକ ଜଣେ ଯୁବତୀଙ୍କ ସହିତ ଇନଷ୍ଟାଗ୍ରାମରେ ବନ୍ଧୁତା ହୋଇଥିଲା । ଗତ ସୋମବାର ଦିନ ତାଙ୍କୁ ପରେଡ ଦୁଗ୍ଧ ବଙ୍ଗଳା ନିକଟକୁ ସାକ୍ଷାତ ପାଇଁ ଡାକିଥିଲେ । ଏହାପରେ ସେ ବାଇକ ଯୋଗେ ଉକ୍ତ ସ୍ଥାନରେ ପହଞ୍ଚି ଥିଲେ । ହେଲେ ସେହି ସ୍ଥାନରେ ଏଲଆଇୟୁ ଇନ୍ସିପେକ୍ଟର ଧର୍ମେନ୍ଦ୍ର ଯାଦବଙ୍କ ପୁଅ ସନ୍ନି ସହିତ ଅନ୍ୟ କିଛି ଜଣ ଯୁବକ ଉପସ୍ଥିତ ରହିଥିଲେ ।