ନୂଆଦିଲ୍ଲୀ: ଇମେଲ, ସୋସିଆଲ ମିଡିଆ, କମ୍ପାନୀ ପ୍ରୋଫାଇଲ ଠାରୁ ଆରମ୍ଭ କରି ବ୍ୟାଙ୍କ୍ ଆକାଉଣ୍ଟ ପର୍ଯ୍ୟନ୍ତ ସବୁକିଛି ଖୋଲିବାକୁ ହେଲେ ପାସୱାର୍ଡର ନିହାତି ଆବଶ୍ୟକତା ରହିଛି। ଏହି ପାସୱାର୍ଡ ହିଁ ଆପଣଙ୍କର ସମସ୍ତ ଡାଟା ଓ ଅନ୍ୟାନ୍ୟ ସୂଚନାକୁ ସୁରକ୍ଷିତରେ ରଖେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ସାରା ବିଶ୍ୱର ଅଧିକାଂଶ ଉପଭୋକ୍ତା ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ। ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ସବୁଠାରୁ ସାଧାରଣ ଏବଂ ଖରାପ ପାସୱାର୍ଡର ତାଲିକା ଦର୍ଶାଯାଇଛି ।
ନୋର୍ଡପାସ (NordPass)ର ସୂଚନା ମୁତାବକ ‘123456’ ପାସୱାର୍ଡ 2020ରେ ସବୁଠାରୁ ଅଧିର ବ୍ୟବହାର କରାଯାଇଛି। ଯାହା 23 ମିଲିୟନରୁ ଅଧିକ ଅର୍ଥାତ 2.3 କୋଟି ଥର ହ୍ୟାକ୍ ହୋଇଛି । ବାର୍ଷିକ ରିପୋର୍ଟରେ ଏହାର ସୂଚନା ଦେଇଛନ୍ତି ପାସୱାର୍ଡ ମ୍ୟାନେଜର ନୋର୍ଡପାସ (NordPass) ।
ସବୁଠାରୁ 2ଶହ ଖରାପ ପାସୱାର୍ଡର ତାଲିକା ଜାରି
ବିଶେଷଜ୍ଞଙ୍କ ମତରେ ‘123456’ ଏହି ପାସୱାର୍ଡକୁ ଲକ୍ଷଲକ୍ଷ ଲୋକ ବ୍ୟବହାର କରୁଛନ୍ତି। ଆଉ ହ୍ୟାକରଙ୍କୁ ଏହି ପାସୱାର୍ଡକୁ ହ୍ୟାକିଂ କରିବା ପାଇଁ 1 ସେକେଣ୍ଡରୁ କମ ସମୟ ଲାଗିଥାଏ। ଯାହା ଫଳରେ ସେ ଆପଣଙ୍କର ଆକାଉଣ୍ଟକୁ ନିଜ ନିୟନ୍ତ୍ରଣକୁ ନେବା ସହ ଅପବ୍ୟବହାର କରିଥାନ୍ତି। ହ୍ୟାକରମାନେ ଏହି ଭଳି ଆପଣଙ୍କ ଆକାଉଣ୍ଟ ମଧ୍ୟ ଖାଲି କରି ଦେଇପାରନ୍ତି । ଏହିଭଳି ଭାବରେ 2ଶହ ପାସୱାର୍ଡ ତାଲିକା ଜାରି କରାଯାଇଛି। ସେହିପରି ‘123456789’ ଦ୍ୱିତୀୟ ଓ ‘picture1’ ତୃତୀୟ ସ୍ଥାନରେ ରହିଛି।