ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେହି ପସନ୍ଦ କିମ୍ବା ନାପସନ୍ଦ କରିପାରେ । ଏହା ସେମାନଙ୍କ ବ୍ୟକ୍ତିଗତ ସ୍ବାଧୀନତା । କିନ୍ତୁ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗୁଜୁରାଟ ହାଇକୋର୍ଟ । ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ମୋଦି ଓ ତାଙ୍କ ଦିବଙ୍ଗତ ମା’ ହୀରାବେନଙ୍କ ସମ୍ପର୍କରେ ଆପତ୍ତିଜନକ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ବେଲ ଖାରଜ କରିବା ସହ କୋର୍ଟ ଏହି ଟିପ୍ପଣୀ କରିଛନ୍ତି ।
ଆଜି (ଶନିବାର) ଏହି ମାମଲାର ଶୁଣାଣି ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ନିରଜାର ଦେଶାଇଙ୍କ ଏକକ ଖଣ୍ଡପୀଠରେ ହୋଇଥିଲା । ବିଚାରପତି ଏହି ଟିପ୍ପଣୀ କରିବା ସମୟରେ କହିଥିଲେ, ପ୍ରତ୍ୟେକ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ ବା ନାପସନ୍ଦ କରିବା ପାଇଁ ସ୍ବାଧୀନ । ହେଲେ କେହି ତାଙ୍କ ବିରୋଧରେ ଅପମାନିତ କରିବା କିମ୍ବା ଆପତ୍ତିଜନକ ମନ୍ତବ୍ୟ ଦେବା ଆଦୌ ଉଚିତ ନୁହେଁ ।
ତେବେ ଏହି ମାମଲାରେ ଅଭିଯୁକ୍ତ ଅଫସଲବାଇ କାସମାଭାଇ ଲଖାନୀ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ସେ ଏଥିରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ତାଙ୍କ ଦିବଙ୍ଗତ ମା’ଙ୍କ ସମ୍ପର୍କରେ ମଧ୍ୟ ଅପମାନଜନକ ଟିପ୍ପଣୀ କରିଥିଲେ । ତେବେ କୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେବା ସହ ତାଙ୍କୁ ବେଲ ପ୍ରଦାନ କରିବାକୁ ମନା କରିଦେଇଥିଲେ । ଏହା ସହ ଏହି ଟିପ୍ପଣୀ ମଧ୍ୟ କରିଥିଲେ ।