ଓଡିଶା

odisha

Padmashree Usha Chaumar: ମଇଳା ଟାଙ୍କି କରୁଥିଲେ ସଫା, ଆଜି ପାଲଟିଗଲେ ଅନନ୍ୟ ଆଦର୍ଶ

By

Published : Nov 25, 2021, 7:06 AM IST

ଘରକୁ ଘର ବୁଲି ମଇଳା ଟାଙ୍କି ସଫା କରୁଥିଲେ । କେବଳ ହାତରେ ନୁହେଁ, ମୁଣ୍ଡରେ ମଧ୍ୟ ବୋହୁଥିଲେ ମଇଳା । ପରିବାର ପ୍ରତିପୋଷଣ ପାଇଁ ମଇଳା ଟାଙ୍କିରେ ପଶି ଘଣ୍ଟା ଘଣ୍ଟା ଧରି ମଳ ସଫା କରନ୍ତି । ସେ ଆଉ କେହି ନୁହେଁ, ସେ ହେଉଛନ୍ତି ପଦ୍ମଶ୍ରୀ ଉଷା ଚୌମାର । ଚାରିଆଡେ କେବଳ ତାଙ୍କରି ନାଁ, ତାଙ୍କରି ଚର୍ଚ୍ଚା । ଛୁଟୁଛି ଶୁଭେଚ୍ଛାର ସୁଅ । କେବଳ ରାଜସ୍ଥାନ କାହିଁକି ସମଗ୍ର ଭାରତକୁ ସେ ଗର୍ବାନ୍ବିତ କରିଛନ୍ତି । ମଇଳା ଟାଙ୍କିରୁ ପଦ୍ମଶ୍ରୀ ପର୍ଯ୍ୟନ୍ତ କେମିତି ଥିଲା ତାଙ୍କ ଜୀବନଯାତ୍ରା, ପଢନ୍ତୁ ETV BHARATର ସ୍ପେଶାଲ ଷ୍ଟାେରୀ...

Padmashree Usha Chaumar: ମଇଳା ଟାଙ୍କି କରୁଥିଲେ ସଫା, ଆଜି ପାଲଟିଗଲେ ଅନନ୍ୟ ଆଦର୍ଶ
Padmashree Usha Chaumar: ମଇଳା ଟାଙ୍କି କରୁଥିଲେ ସଫା, ଆଜି ପାଲଟିଗଲେ ଅନନ୍ୟ ଆଦର୍ଶ

ଜୟପୁର: ଯେଉଁ ହାତରେ ଦିନେ ମଇଳା ସଫା କରୁଥିଲେ, ସେହି ହାତରେ ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଶ୍ରୀ ଉପାଧି ଗ୍ରହଣ କଲେ ସ୍ବଚ୍ଛ ମିଶନର ଅନନ୍ୟ ପୁରୋଧା ଉଷା ଚୌମାର । ଆଜି ଚାରିଆଡେ ତାଙ୍କରି ଚର୍ଚ୍ଚା, ତାଙ୍କରି ଆଲୋଚନା । ଦିନ ଥିଲା ଉଷାଙ୍କୁ ଅଛୁଆଁ, ଅସ୍ପୃଶ୍ୟ କହି ଲୋକେ ପାଖ ମାଡୁ ନଥିଲେ । ଆଉ ବର୍ତ୍ତମାନ ଲୋକେ ଉଷାଙ୍କ ସହ ସେଲଫି ନେଉଛନ୍ତି । ଯେଉଁ ମହିଳାମାନେ ଦିନେ ତାଙ୍କୁ ଦୁର୍ ଦୁର୍ କରୁଥିଲେ, ସେମାନେ ଆଜି କୋଳାଗ୍ରତ କରି ଶୁଭେଚ୍ଛା ଜଣାଉଛନ୍ତି । ସମୟ ବଡ ବିଚିତ୍ର ସତେ । କେବେ କାହାକୁ କେଉଁଠି ନେଇ ପହଞ୍ଚାଇବ, ତାହା କେହି କହିପାରିବେ ନାହିଁ । ଉଷା ବର୍ତ୍ତମାନ ସୁଲଭ ଇଣ୍ଟରନ୍ୟାସନାଲ ସୋସିଆଲ ସର୍ଭିସ ଅର୍ଗାନାଇଜେସନ(Sulabh International Social Service Organisation)ର ଅଧ୍ୟକ୍ଷା ରୂପେ କାମ କରୁଛନ୍ତି ।

@twitterUsha Chaumar

ଏହି ଉକ୍ତିର ନିଚ୍ଛକ ଉଦାହରଣ ହେଉଛି ଉଷା ଚୌମାରଙ୍କ ଜୀବନୀ । ଉଷାଙ୍କୁ ସାମାଜିକ କାର୍ଯ୍ୟ କ୍ଷେତ୍ର ପାଇଁ ପଦ୍ମଶ୍ରୀ ଉପାଧି ମିଳିଛି । ସେ ଆଜି ସମସ୍ତଙ୍କ ପାଇଁ ମିଶାଲ ପାଲଟିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ଜଣେ ମହିଳା ହାତରେ ମଳ ଟୋକି ଉଠାଇ ମୁଣ୍ଡରେ ବୋହି ନେଇଯିବା ଯେ, କେତେ ଦୁଃଖଦାୟକ, ତାହା ଜଣେ ମହିଳା ହିଁ କହିପାରିବ । ଉଷାଙ୍କ ନାଁ ଆଜି ସବୁଆଡେ ଚର୍ଚ୍ଚାର ଶିରୋନାମାରେ । ମଇଳା ଟାଙ୍କି ସଫାରୁ ପଦ୍ମଶ୍ରୀ ସମ୍ମାନ ପର୍ଯ୍ୟନ୍ତ କେମିତି ଥିଲା ତାଙ୍କ ଜୀବନଯାତ୍ରା, ଚାଲନ୍ତୁ ଜାଣିବା...

ଘର ଘର ବୁଲି ମଇଳା ସଫା କରୁଥିଲେ:

ଭାରତର ସାମାଜିକ କର୍ମକର୍ତ୍ତା ଉଷା ଚୌମାରଙ୍କ ଜନ୍ମ ୧୯୭୮ ମସିହାରେ ରାଜସ୍ଥାନ ଅଲୱରର ହଜୁରଗେଟରେ ହୋଇଥିଲା । ୧୮ ବର୍ଷ ପୂର୍ବେ ସେ ଘର ଘର ବୁଲି ମଳ ସଫା କରୁଥିଲେ । ତେଣିକି ସେ ନାଳ ହେଉ କିମ୍ବା ସେପଟିକ୍ ଟାଙ୍କି । ଘରେ ଥିବା ପାଇଖାନାରୁ ମଧ୍ୟ ସେ ହାତରେ ମଇଳା ସଫା କରନ୍ତି । ସେପଟିକ୍ ଟାଙ୍କି ଭିତରେ ପଶି ମଧ୍ୟ ସେ ମଇଳା ସଫା କରନ୍ତି । ଏହା ତାଙ୍କର ମୁଖ୍ୟ କାମ ଥିଲା । ବିନା ଘୃଣା କରି ସେ ଏହି କାମକୁ କରୁଥିଲେ । ଆଉ ଏଥିପାଇଁ ଲୋକେ ତାଙ୍କ ଛାଇ ମଧ୍ୟ ମାଡୁ ନଥିଲେ । ସେ ଯେଉଁ ରାସ୍ତା ଦେଇ ଯାଉଥିଲେ, ଲୋକେ ସେହି ରାସ୍ତା ବଦଳାଇ ଦେଉଥିଲେ । କିନ୍ତୁ ଯେତେବେଳେ ସେ ପଦ୍ମଶ୍ରୀ ସମ୍ମାନ ପାଇଁ ବିବେଚିତ ହେଲେ, ସେତେବେଳେ ଲୋକ ତାଙ୍କୁ ସ୍ନେହ କଲେ । ଏହା ଏକ ବଡ ପରିବର୍ତ୍ତନର ଚିତ୍ର । ଯାହା କେବଳ ଉଷାଙ୍କ ପ୍ରୟାସ ଓ ନିଷ୍ଠା ଯୋଗୁଁ ସମ୍ଭବ ହୋଇପାରିଛି ।

@twitterUsha Chaumar

NGO ଦେଖାଇଲା ନୂଆ ରାସ୍ତା:

ଉଷା ଚୌମାର କୁହନ୍ତି ' ମୋ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି । ପ୍ରଥମେ ମୁଁ ଗୋଟିଏ ମ୍ୟାନୁଆଲ ସ୍କେଭେଞ୍ଜର(Manual Scavenger) ଭାବେ କାମ କରୁଥିଲି । ସୁଲଭ ଇଣ୍ଟରନ୍ୟାସନାଲର ସଂସ୍ଥାପକ ଡ. ବିନ୍ଦେଶ୍ବର ପାଠକଙ୍କ ସଂସ୍ପର୍ଶରେ ଆସିଲା ପରେ ସେ ମୋତେ ଖୁବ୍ ସାହାଯ୍ୟ କଲେ । ସେ ମୋତେ ଉକ୍ତ ସଫେଇ କାମରୁ ବାହାରି ଆସିବାକୁ କହିଲେ । ଏହି ସଂସ୍ଥା ପାଇଁ ମୁଁ ଆଜି ଏତେ ବଡ ପୁରସ୍କାରର ଅଧିକାରିଣୀ ହୋଇପାରିଛି । ମୁଁ କେବେ ଭାବିନଥିଲି ଯେ, ମୁଁ କେବେ ବି ହାତରୁ ମଇଳା ସଫା କରିବା କାମ ଛାଡିପାରିବି ବୋଲି । କିନ୍ତୁ ଡ.ପାଠକ ମୋତେ ନୂଆ ରାସ୍ତା ଦେଖାଇଲେ । ମୁଁ ୨୦୦୩ରେ ହାତରେ ମଇଳା କାଢିବା ଓ ମୁଣ୍ଡରେ ମଇଳା ବୋହିବା କାମ ଛାଡି ଦେଲି ।

କ'ଣ ଏହି ମ୍ୟାନୁଆଲ ସ୍କେଭେଞ୍ଜର(Manual Scavenger):

ମ୍ୟାନୁଆଲ ସ୍କେଭେଞ୍ଜରର ଅର୍ଥ ଏକ ଅପରିଷ୍କାର ଶୌଚାଳୟ, ନାଳ, ପାଇଖାନା ଟାଙ୍କି, ସେପଟିକ୍ ଟାଙ୍କିରୁ ମଳ ସଫା କରିବା । ଏହି ମଇଳାକୁ ବିଶେଷତଃ ହାତରେ ସଫା କରାଯାଏ । ବେଳେବେଳେ ଏହି ସଫେଇରେ ବାଲଟି, ଝାଡୁ, କୋଦାଳ ବ୍ୟବହୃତ ହୋଇଥାଏ । ସଫା କରିସାରିବା ପରେ ଏହି ମଇଳାକୁ ହାତରେ ନଚେତ୍ ମୁଣ୍ଡରେ ବୋହି ନେଇ ବାହାରେ ଫୋପାଡିବାକୁ ହୋଇଥାଏ । ଏହି ସଫେଇ କର୍ମଚାରୀଙ୍କୁ 'ହାତ ସେ ମୈଲା ଢୋନେ ବାଲେ' ମଧ୍ୟ କୁହାଯାଇଥାଏ । ଭାରତରେ ସବୁ ପ୍ରକାର ସଫେଇକୁ ନୀଚ ବୋଲି ଧରାଯାଏ । ସାମାଜିକ ରୀତିନୀତି ଅନୁସାରେ ସବୁଠାରୁ ଛୋଟ ଜାତିକୁ ଏହି କାମ ହସ୍ତାନ୍ତର କରାଯାଇଥାଏ । ଜାତି ଆଧାରିତ ସମାଜରେ ଦଳିତ ପ୍ରଜାତିର ଲୋକେ ମୁଖ୍ୟତଃ ସଫେଇ କର୍ମଚାରୀ ରୂପେ କାମ କରିଥାଆନ୍ତି । ହାତରେ ମଇଳା ଉଠାଇବା, ନଳା ସଫା କରିବା, ରାସ୍ତା କଡରୁ ଅଳିଆ ଆବର୍ଜନା ଉଠାଇବା ଆଦି ଏହି ଶ୍ରେଣୀ ଅନ୍ତର୍ଭୁକ୍ତ । ୨୦୧୯ ରିପୋର୍ଟ ଅନୁସାରେ ୪୦ରୁ ୬୦ ପ୍ରତିଶତ ମଧ୍ୟରେ ଦଳିତ ଉପଜାତିର ୬୦ ଲକ୍ଷରୁ ଊର୍ଦ୍ଧ୍ବ ପରିବାରର ଲୋକେ ସଫେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

@twitterUsha Chaumar

ଏହା ମଧ୍ୟ ପଢନ୍ତୁ:Padma Awards: ସମ୍ମାନିତ ହେଲେ ୬ ଓଡିଆ, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

ମିଳିସାରିଛି ସଫେଇଗିରି ଆୱାର୍ଡ:

ବର୍ଷ ୨୦୦୩ରେ ପ୍ରଥମେ ଉଷା ସୁଲଭ ଇଣ୍ଟରନ୍ୟାସନାଲ ସଂସ୍ଥା ସମ୍ପର୍କରେ ଆସିଥିଲେ । ଏହା ପରେ ହିଁ ସେ ମଇଳା ଉଠାଇବା ହିଁ ଛାଡି ଦେଇଥିଲେ । ଆଚାର ତିଆରି କରିବା ଠାରୁ ଆରମ୍ଭ କରି ସିଲେଇ କାମ ଶିଖି ଅନ୍ୟ ମହିଳାଙ୍କୁ ମଧ୍ୟ କାମ ପାଇଁ ପ୍ରେରିତ କଲେ । ସେମାନଙ୍କୁ ମଧ୍ୟ ମଇଳା ଉଠାଇବାକୁ ମନା କରି ଆଚାର ଓ ପାମ୍ପଡ ତିଆରି କରିବା, ସିଲେଇ ଶିଖିବା ପାଇଁ କହିଲେ । ଉଷାଙ୍କ ପ୍ରେରଣାରେ ବହୁ ମହିଳା ଉକ୍ତ ସଂସ୍ଥାରେ ଯୋଗ ଦେଲେ । ସରକାରଙ୍କ ପର୍ଯ୍ୟନ୍ତ ଏହି ଖବର ପହଞ୍ଚିଲା । ଏଥି ନେଇ ଉଷାଙ୍କ ପୂର୍ବରୁ ସଫେଇଗିରି ଆୱାର୍ଡ ମଧ୍ୟ ମିଳିସାରିଛି । ସେ ଆମେରିକା, ସାଉଥଆଫ୍ରିକା ଭଳି ବହୁ ବିଦେଶ ଦେଶ ମଧ୍ୟ ସେ ଗସ୍ତ କରିସାରିଛନ୍ତି ।

୧୦ ବର୍ଷ ବୟସରେ କରିଥିଲେ ବିବାହ:

ମାତ୍ର ୧୦ ବର୍ଷ ବୟସରେ ହିଁ ଉଷା ବିବାହ କରିଥିଲେ । ଉଷାଙ୍କ ସ୍ବାମୀ ଜଣେ ଦିନ ମଜୁରିଆ ହୋଇଥିବାବେଳେ ୨ପୁଅ ଓ ଗୋଟିଏ ଝିଅକୁ ନେଇ ଉଷାଙ୍କ ସଂସାର । ସେଥିମଧ୍ୟରୁ ଗୋଟିଏ ପୁଅ ବାପା ସହ ମିଶି ମଜୁରିଆ କାମ କରୁଥିବାବେଳେ ଆଉ ଗୋଟିଏ ପୁଅ ଚାକିରୀ କରୁଛି । ଝିଅ କଲେଜରେ ପାଠ ପଢୁଛି । ଉଷା କୁହନ୍ତି ଯେ, ସେ କେବେ ସ୍ବପ୍ନରେ ଭାବି ନଥିଲେ ଯେ, ତାଙ୍କ ଜୀବନଶୈଳୀ ଏମିତି ବଦଳିଯିବ ।

@twitterUsha Chaumar

ଅସ୍ପୃଶ୍ୟ ଭାବି ଲୋକେ ପାଖ ମାଡୁ ନଥିଲେ :

ଉଷା କୁହନ୍ତି ଯେ, ତାଙ୍କ ଶ୍ବଶୁର ଘର ଲୋକେ ସମସ୍ତେ ମଇଳା ଉଠାଇବା କାମ କରୁଥିଲେ, ତେଣୁ ବାହାଘର ପରେ ସେ ମଧ୍ୟ ଏହି କାମ କରିଥିଲେ । କାମରୁ ଫେରିବା ପରେ ତାଙ୍କର ଭୋକ ମରିଯାଉଥିଲା । ଲୋକେ ତାଙ୍କୁ ମନ୍ଦିରରେ ମଧ୍ୟ ପୁରାଇ ଦେଉ ନଥିଲେ । କେବଳ ଏତିକି ନୁହେଁ, ଯେତେବେଳେ ସେ ଦୋକାନକୁ ଜିନିଷପତ୍ର କିଣିବାକୁ ଯାଉଥିଲେ, ସେତେବେଳେ ଦୋକାନୀ ସଟର ପକାଇ ପଳାଉଥିଲା । କାହିଁକିନା ସେ ଦଳିତ ଥିଲେ, ଆଉ ଏଥିପାଇଁ ଲୋକେ ତାଙ୍କୁ ଅଛୁଆଁ ଭାବୁଥିଲେ । ଘୃଣା ନଜରରେ ସଭିଏଁ ଦେଖୁଥିଲେ । ଲୋକମାନେ ତାଙ୍କୁ ଅଳିଆ ଆବର୍ଜନା ସହ ତୁଳନା କରୁଥିଲେ ।

@rashtrapatibhvn

ପଦ୍ମଶ୍ରୀ ପୁରସ୍କାର ଫେରାଇଲା ସମ୍ମାନ:

ଯେଉଁ ଲୋକ ପ୍ରଥମେ ଛି ଛିକାର କରୁଥିଲେ, ବର୍ତ୍ତମାନ ସେମାନେ ଉଷାଙ୍କୁ ଘରକୁ ଡାକି ଅତିଥି ସତ୍କାର କରୁଛନ୍ତି । ଗାଁରେ ଯାନିଯାତ୍ରା ହେଲେ ଉଷାଙ୍କୁ ସେଠାରେ ବାରଣ କରାଯାଏ । ବାହାଘର ବ୍ରତଘର ସମାରୋହରେ ଉଷାଙ୍କୁ ଦେଖିଲେ ସଭିଏଁ ସେ ଜାଗା ଛାଡି ପଳାନ୍ତି । ଉଷାଙ୍କୁ ମନ୍ଦିରରେ ପ୍ରବେଶ ମଧ୍ୟ ନିଷେଧ ଥିଲା । ତାଙ୍କ ପରିବାରର କୌଣସି ଲୋକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିପାରିବେ ନାହିଁ । ମାତ୍ର ପଦ୍ମଶ୍ରୀ ପୁରସ୍କାର ପାଇବା ପରେ ଯେମିତି ସତେ ନୂଆ ଜୀବନ ପାଇଛନ୍ତି ଉଷା । ଏହି ସମ୍ମାନ ତାଙ୍କୁ ତାଙ୍କ ଖୁସି ଫେରାଇ ଦେଇଛି । ବର୍ତ୍ତମାନ ଉଷାଙ୍କୁ ସମସ୍ତେ ଘରକୁ ଡାକି ଫୁଲମାଳ ଦେଇ ସ୍ବାଗତ କରୁଛନ୍ତି । ଗାଁରେ ହେଉଥିବା ଜନ୍ମଦିନ ଓ ବାହାଘର କାର୍ଯ୍ୟକ୍ରମରେ ଉଷା ଯୋଗ ଦେଇ ପାରୁଛନ୍ତି । ମନ୍ଦିର ଯାଇ ପୂଜା ପାଠ ମଧ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ:

ପଦ୍ମଶ୍ରୀ ଆୱାର୍ଡ ପାଇଁ ମନୋନୀତ ହେବା ପରେ ଉଷା ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଉ ଏହା କହିଥିଲେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ପରେ ପିଏମ୍ ମୋଦି ହେଉଛନ୍ତି ଦ୍ବିତୀୟ ନେତା, ଯିଏ ସଫେଇ ପାଇଁ ଝାଡୁ ନିଜ ହାତରେ ନେଇଛନ୍ତି । ଏହାର ପ୍ରଭାବ ସମଗ୍ର ସମାଜ ଉପରେ ପଡିବ ।

@rashtrapatibhvn

ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉଷା:

ଏନଜିଓରେ ଯୋଗଦେବା ପରେ ଉଷା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି । କେବଳ ଏତିକି ନୁହେଁ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ରାକ୍ଷୀ ମଧ୍ୟ ବାନ୍ଧିଛନ୍ତି । ଏ ନେଇ ଉଷା ଏକ ଗଣମାଧ୍ୟମରେ ସାକ୍ଷାତକାର ସମୟରେ କହିଥିଲେ । ପ୍ରଧାନମନ୍ତ୍ରୀ ସଫେଇ ନେଇ ବହୁ ଜାଗ୍ରତ । ତେଣୁ ସେ ପ୍ରଥମେ ମୋଦିଙ୍କ ସଫେଇ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ ।

@twitterUsha Chaumar

ପଦ୍ମଶ୍ରୀ ପୁରସ୍କାରରେ ପୁରା ଅଲୱର ଗର୍ବିତ:

ଉଷା କୁହନ୍ତି ଯେ, ମୋ ପରିବାରର ସମସ୍ତ ସଦସ୍ୟ ମୋ ସଫଳତାରେ ବେଶ ଖୁସି । ମୋତେ ପଦ୍ମଶ୍ରୀ ମିଳିବା ପରେ ସମଗ୍ର ରାଜସ୍ଥାନର ଛାତି ଗର୍ବରେ ଫୁଲି ଉଠିଥିଲା । ଅଲୱରରେ ଆତସବାଜି ହେବା ସହ ପ୍ରତି ଘରେ ମିଠା ବଣ୍ଟାଯାଇଥିଲା । ଉଷାଙ୍କ ପାଇଁ ଭବ୍ୟ ସମାରୋହ ଆୟୋଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯାହାକୁ ଦେଖି ଉଷାଙ୍କ ଆଖିରେ ଲୁହ ଜକେଇ ଆସିଥିଲା । ଯେଉଁ ମହିଳାମାନେ ତାଙ୍କୁ ଆଡ ଆଖିରେ ଚାହୁଁ ମଧ୍ୟ ନ ଥିଲେ । ସେହି ମହିଳାମାନେ ଉଷାଙ୍କୁ କୋଳାଗ୍ରତ କରି ଶୁଭେଚ୍ଛା ଜଣାଉଥିଲେ ।

ମହିଳାଙ୍କୁ ପଦ୍ମଶ୍ରୀ ଉଷା ଚୌମାରଙ୍କ ବାର୍ତ୍ତା:

ଉଷା କୁହନ୍ତି ଯେ, ' କୌଣସି ମହିଳା ହାତରେ ମଇଳା ସଫା କରିବା କାମ କରିବା ଉଚିତ୍ ନୁହେଁ । କାହିଁକିନା ଏହାଦ୍ବାରା ଅସ୍ପଶ୍ୟୃତା ବଢିଥାଏ । ସମାଜ ଘୃଣା ଚକ୍ଷୁରେ ଦେଖିଥାଏ । ମୁଁ ନିଜେ ଏହାର ଉଦାହରଣ । ଯେଉଁ ଲୋକ ଏହି କାମ କରିଥାଆନ୍ତି, ସେମାନଙ୍କୁ ପ୍ରତିଟି କ୍ଷେତ୍ରରେ ଉପେକ୍ଷିତ କରାଯାଇଥାଏ । ତେଣୁ ଯଥାସମ୍ଭବ ଏ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଏନଜିଓ ସଂସ୍ଥାରେ ଯୋଗ ଦେଇ ବିଭିନ୍ନ କାମ ଶିଖନ୍ତୁ । ନଚେତ୍ ଏ ସମାଜରୁ ସମ୍ମାନ ବଦଳରେ କେବଳ ଅସମ୍ମାନ ହିଁ ମିଳିବ' ।

@twitterUsha Chaumar

ଇଂରାଜୀରେ ସିଦ୍ଧହସ୍ତ:

ସମୟ ସହ ତାଳ ଦେଇ ଆଗକୁ ବଢି ଚାଲିଛନ୍ତି ଉଷା । ମହିଳା ମଇଳା ଉଠାଇବା ବିରୋଧରେ ସ୍ବର ଉତ୍ତୋଳନ କରି ନାରୀଙ୍କୁ ସଶକ୍ତ କରିଛନ୍ତି । ଏନଜିଓରେ ଯୋଗ ଦେବା ପରେ ଉଷା ବିଭିନ୍ନ ବିଦେଶ ରାଷ୍ଟ୍ର ପରିଭ୍ରମଣ କରିବା ସହ ବଡ ବଡ ସଭା ଓ ସମ୍ମିଳନୀରେ ଯୋଗ ଦେଇଛନ୍ତି । ସେଥିପାଇଁ ସେ ଇଂରାଜୀ ମଧ୍ୟ ଶିଖିଥିଲେ । ଆଉ ଏବେ ଉଷା ଇଂରାଜୀ କହିବା ଓ ଲେଖିବାରେ ଏକଦମ୍ ସିଦ୍ଧହସ୍ତ । ଦିନ ଥିଲା ଯେତେବେଳେ ସେ ପଦୁଟିଏ ଇଂରାଜୀ କହିପାରୁନଥିଲେ । ଯାହା ଫଳରେ ଲୋକେ ତାଙ୍କୁ ପରିହାସ କରୁଥିଲେ । ମାତ୍ର ବର୍ତ୍ତମାନ ସେ ବିନା ଡରି ଲୋକଙ୍କ ସାମ୍ନାରେ ହେଉ କିମ୍ବା କୌଣସି ମଞ୍ଚରେ ହେଉ, ସେ ରୋକଠୋକ୍ ଇଂରାଜୀ କହିପାରୁଛନ୍ତି । ତାଙ୍କ ଇଂରାଜୀ ଶୁଣି ଯେ କେହି ବି ତାଜୁବ ହୋଇଯିବେ ଯେ, ହାତରେ ମାନବ ମଳ ଉଠାଉଥିବା ଜଣେ ଅଧାପାଠୁଆ ମହିଳା କିପରି ଏତେ ସୁନ୍ଦର ଇଂରାଜୀ କହିପାରୁଛି ।

@twitterUsha Chaumar

କେବଳ ଉଷା ଚୌମାର କାହିଁକି, ଅନ୍ୟ ମହିଳାମାନେ ମଧ୍ୟ ସମାଜ ପାଇଁ ଉଦାହରଣ ସାଜିପାରିବେ । ସେଥିପାଇଁ ଆବଶ୍ୟକ କେବଳ ଧୈର୍ଯ୍ୟ ଓ ଅସୀମ ଶକ୍ତି । କୌଣସି କାମକୁ ଛୋଟ ନ ଭାବି କରିଯିବା ଉଚିତ୍ । କାହିଁକିନା ଏହି କାମ ପର ମୂହୁର୍ତ୍ତରେ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ । ଯାହାକି ଉଷା କରି ଦେଖାଇଛନ୍ତି । ସମଗ୍ର ମହିଳା ସମାଜ ପାଇଁ ସେ ଆଜି ପାଲଟିଛନ୍ତି ଗର୍ବ ଓ ଗୌରବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details