ଡେର୍ନା: ଲିବ୍ୟାରେ ମୃତ୍ୟୁ ତାଣ୍ଡବ ରଚିଛି ପ୍ରଳୟଙ୍କାରୀ ବନ୍ୟା । ପୂର୍ବରୁ ମୃତ୍ୟୁ ସଂଖ୍ୟା ନେଇ ମିଳିତ ଜାତିସଂଘ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ସଂଶୋଧନ କରାଯାଇଛି । ପୂର୍ବରୁ 11 ହଜାରରୁ ଊର୍ଦ୍ଧ୍ୱ ଜୀବନ ଯାଇଥିବା ନେଇ ତଥ୍ୟ ଦିଆଯାଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି । ବନ୍ୟା ବିତ୍ପାତରେ ପାଖାପାଖି 4 ହଜାର ଲୋକଙ୍କ ଜୀବନ ଯାଇଥିବା ନେଇ ସୂଚନା ଜାରି କରାଯାଇଛି ।
ରବିବାର ଦିନ ମିଳିତ ଜାତିସଂଘର ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ ( ଓସିଏଚଏ) ପକ୍ଷରୁ ଜାରି କରାଯାଇଥିବା ସଂଶୋଧିତ ରିପୋର୍ଟ ଅନୁଯାୟୀ, ବନ୍ୟାରେ 3, 958 ଜଣଙ୍କ ମୃତ୍ୟୁ ହୋଇଛି । ତେବେ 9 ହଜାରରୁ ଊର୍ଦ୍ଧ୍ୱ ଏବେବି ନିଖୋଜ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO)କୁ ରିପୋର୍ଟ ପ୍ରଦାନ କରାଯାଇଛି ।
ସୂଚନା ଅନୁଯାୟୀ, ଏହି ବିନାଶକାରୀ ବନ୍ୟାରେ ପାଖାପାଖି 11,300 ଲୋକଙ୍କ ଜୀବନ ଯାଇଥିବା ନେଇ ଓସିଏଚଏ ନିଜର ପୂର୍ବ ରିପୋର୍ଟରେ ପ୍ରକାଶ କରିଥିଲା । ତେବେ ଏଥିରେ ସଂଶୋଧନ କରାଯାଇଛି । ଏନେଇ ରବିବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଚିବଙ୍କ ଉପପ୍ରବକ୍ତା ଫରହାନ ହକ କହିଛନ୍ତି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ବାରା ଯାଞ୍ଚ ରିପୋର୍ଟର ଆକଳନ ସହ ଆମେ ସହମତ ଅଛୁ । ଯେହେତୁ ବିଭିନ୍ନ ରିପୋର୍ଟକୁ ଆଧାର ଏହି ଆକଳନ କରାଯାଉଛି ତେଣୁ ମୃତ୍ୟୁ ସଂଖ୍ୟାରେ କମ-ବେଶୀ ହୋଇପାରେ । ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହିଛନ୍ତି ହକ ।