ଓଡିଶା

odisha

ଦିଲ୍ଲୀରେ ବଢୁଛି ସାମ୍ବିଧାନିକ ସଙ୍କଟ: ପୁଣି ସ୍ଥଗିତ ଉପରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବୈଠକ

By

Published : Jan 21, 2023, 9:16 PM IST

ଆଜି ମଧ୍ୟ ହାଇପାରିଲାନି ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବୈଠକ । ଗତାକାଲି ରାଜଭବନ ଚିଠିରେ କେଜ୍ରିଓ୍ବାଲ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କଲାନି ରାଜଭବନ । ପ୍ରସ୍ତାବିତ ବୈଠକ ପୁଣି ସ୍ଥଗିତ । ଅଧିକ ପଢନ୍ତୁ

ଦିଲ୍ଲୀରେ ବଢୁଛି ସାମ୍ବିଧାନିକ ସଙ୍କଟ: ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବୈଠକ ସ୍ଥଗିତ
ଦିଲ୍ଲୀରେ ବଢୁଛି ସାମ୍ବିଧାନିକ ସଙ୍କଟ: ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ବୈଠକ ସ୍ଥଗିତ

ହାଇଦ୍ରାବାଦ:ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ଘଟଣାକ୍ରମରେ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ ବଢିବାରେ ଲାଗିଛି । ଗତକାଲି (ଶୁକ୍ରବାର) ସଂଧ୍ୟାରେ ଉପରାଜ୍ୟପାଳ ବିନୟ ସକ୍ସେନା ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟରେ ହେବାକୁ ଥିବା ସାପ୍ତାହିକ ବୈଠକ ସ୍ଥଗିତ ହୋଇଥିଲା । ତେବେ ଆଜି ମଧ୍ୟ ଏହି ବୈଠକ ହୋଇପାରି ନାହିଁ । ଗତକାଲି ରାଜଭବନ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଜି ଅପରାହ୍ନ ପାଇଁ ସମୟ ମାଗିଥିଲେ । ଉପରାଜ୍ୟପାଳ ସମୟ ଦେଲେ ସେ ଦଳୀୟ ବିଧାୟକଙ୍କ ସହ ରାଜଭବନ ପହଞ୍ଚିବା ନେଇ ଚିଠିରେ ଉଲ୍ଲେଖ କରିଥିଲେ କେଜ୍ରିଓ୍ବାଲ । ମାତ୍ର କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଉପରାଜ୍ୟପାଳଙ୍କ ସହ ଆଲୋଚନା କରିବା ପାଇଁ ରାଜଭବନ ପକ୍ଷରୁ କୁହାଯାଇଥିଲା । ଫଳରେ ଆଜି ମଧ୍ୟ ଏହି ବୈଠକ ହୋଇପାରିନାହିଁ ।

ନିକଟରେ ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସମସ୍ତ ବିଧାୟକ ଉପରାଜ୍ୟପାଳଙ୍କୁ ବିରୋଧ କରି ବିଧାନସଭାରୁ ରାଜଭବନ ଅଭିମୁଖେ ପଦଯାତ୍ରା କରିଥିଲେ । ଏହା ପରେ ଆଲୋଚନା ପାଇଁ ଉପରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଡାକିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ବୈଠକରେ ସମସ୍ତ ବିଧାୟକଙ୍କୁ ସାମିଲ କରିବା ପାଇଁ ପ୍ରସ୍ତାବ ରଖିଥିଲେ । କିନ୍ତୁ ଏହି ସର୍ତ୍ତରେ ମଧ୍ୟ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ସହମତି ମିଳିନଥିଲା । ଆଜି ସମସ୍ତ ଦଳୀୟ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଉପରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଚିଠିରେ ପ୍ରତିଉତ୍ତର ଦେଇଥିବା ବେଳେ ରାଜଭବନ କେବଳ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଆସନ୍ତୁ ବୋଲି କହିଥିଲା । ଫଳରେ ଆଜି (ଶନିବାର) ପ୍ରସ୍ତାବିତ ବୈଠକ ମଧ୍ୟ ହୋଇପାରିନାହିଁ ।

ଗତକାଲି (ଶୁକ୍ରବାର) ରାଜଭବନରୁ ଆସିଥିବା ଚିଠିର ଉତ୍ତରରେ ନାଟକୀୟ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଲେଖିଥିଲେ,‘‘ସୂର୍ଯ୍ୟ ନିଜ କାମ ଆଉ ଚନ୍ଦ୍ର ମଧ୍ୟ ନିଜ କାମ କଲେ ଭଲ ଲାଗେ । ମୁଖ୍ୟମନ୍ତ୍ରୀଙ୍କୁ ନିଜ କାମ କରିବାକୁ ଦିଅନ୍ତୁ, ଆପଣ ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ କରନ୍ତୁ । ଆପଣଙ୍କ କାମ ରାଜଧାନୀର ଆଇନ ଶୃଙ୍ଖଳା ଓ ଡିଡିଏ ସମ୍ଭାଳିବା । ଦିଲ୍ଲୀର ଅନ୍ୟ ସମସ୍ତ ବିଷୟ ଉପରେ ଆମ ସରକାର କାମ ଜାରି ରଖିଛି । ଯଦି ଆପଣ ଆପଣଙ୍କ କାମ ଛାଡି ଆମ କାମରେ ପ୍ରତିଦିନ ହସ୍ତକ୍ଷେପ କରିବେ, ତେବେ ବ୍ୟବସ୍ଥା କେମିତି ଚାଲିପାରିବ ।’’

ତେବେ କେଜ୍ରିଓ୍ବାଲଙ୍କ ବୈଠକ ସମ୍ପର୍କରେ ଭିନ୍ନ ପ୍ରସ୍ତାବ ସହ ଏପରି ପ୍ରତିଉତ୍ତରମୂଳକ ଚିଠି ପରେ ରାଜଭବନ ପକ୍ଷରୁ ପ୍ରସ୍ତାବରେ ଅସମହମତି ପ୍ରକାଶ କରାଯାଇଛି । ତେଣୁ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ଆଲୋଚନା ହେବା ପୁଣି ଥରେ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି । ଦିଲ୍ଲୀ ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବା କାରଣରୁ ସମସ୍ତ ବିଭାଗ ନିର୍ବାଚିତ ସରକାରଙ୍କ ଅଧୀନରେ ନରହି, କିଛି କେନ୍ଦ୍ର ନିକଟରେ ରହିଥାଏ । ଯେଉଁ ପ୍ରସଙ୍ଗରେ କେନ୍ଦ୍ରୀୟ ପ୍ରତିନିଧି ଭାବେ ଉପରାଜ୍ୟପାଳ ନିର୍ଣ୍ଣୟ କରନ୍ତି । ଏପରି ସ୍ଥିତିରେ ଦିଲ୍ଲୀରେ ଏକାଧିକ ପ୍ରସଙ୍ଗରେ ଉପରାଜ୍ୟପାଳ ଓ କ୍ୟବିନେଟ ମୁହାଁମୁହିଁ ହେବାରେ ଲାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details