ଶ୍ରୀନଗର:ଜାମ୍ମୁ-କାଶ୍ମୀର ପୋଲିସକୁ ସଫଳତା । ସୋପୋର-କୁପୱାରା ଅଞ୍ଚଳରୁ ଧରା ପଡିଲା ଆଉ ଜଣେ ଲସ୍କର-ଏ-ତୋଏବା ଆତଙ୍କୀ(LeT hybrid militant arrested ) । ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ସୋପୋରରୁ ଜଣେ ହାଇବ୍ରିଡ୍ LeT ଆତଙ୍କୀକୁ ଗିରଫ କରିଛନ୍ତି । ତା'ର ନାମ ସକିବ୍ ଶକୀଲ ଦର( Saqib Shakeel Dar) ବୋଲି ଜଣାପଡିଛି । ସେ ଏଠାରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଗିରଫ ହାଇବ୍ରିଡ୍ ଆତଙ୍କୀ ନିକଟରୁ ଗୋଟିଏ ପିସ୍ତଲ, ମାଗାଜିନ ଏବଂ ୮ଟି ଗୁଳି ଜବତ ହୋଇଛି । ଏନେଇ ଜାମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ପୋଲିସ, ସେନା ଏବଂ ସିଆରପିଏଫ ଯବାନ ସୋପୋରର ସାଙ୍ଗେରଗଣ୍ଡ ଅଞ୍ଚଳରେ ମିଳିତ ଅପରେସନ କରିଥିଲେ । ରାତି ପ୍ରାୟ ୯ଟା ୪୦ ସମୟରେ ଜଣେ ଯୁବକଙ୍କ ଗତିବିଧି ଉପରେ ସନ୍ଦେହ ହେବାରୁ ଯାଞ୍ଚ ପାଇଁ ତାଙ୍କୁ ଅଟକାଇବାକୁ ପୋଲିସ ଚେଷ୍ଟା କରିଥିଲା । କିନ୍ତୁ ସେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ହେଲେ ସୁରକ୍ଷାକର୍ମୀ ତାଙ୍କୁ ଗୋଡାଇ ଧରିବାରେ ସକ୍ଷମ ହୋଇଥିଲେ । ଏହି ସନ୍ଦିଗ୍ଧ ଯୁବକଙ୍କୁ ଯାଞ୍ଚ କରାଯିବାରୁ ତାଙ୍କ ନିକଟରେ ପିସ୍ତଲ, କିଛି ଗୁଳି ଓ ମାଗାଜିନ ମିଳିଥିଲା । ତେବେ ସେ ଜଣେ ଲସ୍କର-ଏ-ତୋଏବା(LeT) ଆତଙ୍କୀ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ।