ଗାନ୍ଧୀନଗର: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଡହ ଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ତାତି ବଢିବା ସହ ଏବେ ବଜାରରେ ଲେମ୍ବୁ ଚାହିଦା ମଧ୍ୟ ବଢୁଛି । ଚାହିଦା ଏପରି ଯେ ଏବେ ଗୁଜୁରାଟରେ ଲେମ୍ବୁ କେଜି ୨୦୦ ଟଙ୍କାରେ ପହଞ୍ଚିଛି । ଗୁଜୁରାଟର ରାଜକୋଟରେ ଲେମ୍ବୁ କେଜି ଆଜି ୨୦୦ ଟଙ୍କାରେ ବିକ୍ରି ହେଉଛି । ଚାହିଦା ବଢିବା ସହ ଲେମ୍ବୁ ଯୋଗାଣରେ କମ୍ ଯୋଗୁଁ ଦର ବଢିଥିବା କୁହାଯାଇଛି ।
ରାଜକୋଟରେ ଆଗରୁ ଲେମ୍ବୁ କିଲୋ ୫୦ ରୁ ୬୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ଅଚାନକ ଭାବେ ଦାମ ବୃଦ୍ଧି ପାଇ ୨୦୦ ଟଙ୍କାରେ ପହଞ୍ଚିଛି । ଯାହା ଖାଉଟିଙ୍କ ପକେଟ ଉପରେ ସିଧାସଳଖ ମାଡ କରିଛି । ସାଧାରଣତଃ ଖରା ଆସିଲେ ଲୋକେ ନିଜ ଡାଏଟରେ ଲେମ୍ବୁକୁ ସାମିଲ କରିବାକୁ ପସନ୍ଦ କରିଥାନ୍ତି । କାରଣ ଏଥିରେ ଭିଟାମିନ C ପ୍ରଚୁର ପରିମାଣରେ ଥିବାରୁ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରେ । ତେଣୁ ଲେମ୍ବୁର ଚାହିଦା ବୃଦ୍ଧି ଓ ଯୋଗାଣ କମ୍ ଯୋଗୁଁ ଏବେ ଏହାର ଦର ଅହେତୁକ ଭାବେ ବୃଦ୍ଧି ପାଇଛି ।