ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ସଂସଦ ସୁରକ୍ଷା ବିଭ୍ରାଟ ମାମଲାରେ ଅଭିଯୁକ୍ତମାନଙ୍କ ଓକିଲ ଅନୁପସ୍ଥିତ ରହିବା କାରଣରୁ ଶୁଣାଣିକୁ ସ୍ଥଗିତ ରଖିବାକୁ ପଡିଛି । ଆଜି ଏହି ମାମଲାର ଶୁଣାଣି ତାରିଖ ଥିଲା । ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ମଧ୍ୟ କରାଯାଇଥିଲା । ଦିଲ୍ଲୀ ପୋଲିସ ଏହି 6 ଅଭିଯୁକ୍ତଙ୍କ ପଲିଗ୍ରାଫ ଟେଷ୍ଟକୁ ଅନୁମତି ଦେବା ପାଇଁ କୋର୍ଟରେ ଆବେଦନ କରିଥିଲା । ସେହିପରି ମହିଳା ଅଭିଯୁକ୍ତ ନିଲମ ମଧ୍ୟ ବେଲ ଆବେଦନ କରିଥିଲେ । ମାତ୍ର ଆଜି ଅଭିଯୁକ୍ତମାନଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରାଯାଇଥିବା କୌଣସି ଓକିଲ ଉପସ୍ଥିତ ନଥିଲେ । ବାଧ୍ୟ ହୋଇ ଖଣ୍ଡପୀଠ ଶୁଣାଣି ସ୍ଥଗିତ ରଖିଥିଲେ । 5 ତାରିଖରେ ପରବର୍ତ୍ତୀ ମାମଲାର ଶୁଣାଣି ହେବ ।
ସୂଚନା ଅନୁସାରେ, ଆଜି ଅପରାହ୍ନରେ 6 ଅଭିଯୁକ୍ତଙ୍କ ମଧ୍ୟରୁ 5 ଅଭିଯୁକ୍ତ ସାଗର ଶର୍ମା, ନିଲମ, ଡି.ମନୋରଞ୍ଜନ, ଲଳିତ ଝା, ଅମୋଲ ସିନ୍ଦେଙ୍କୁ ରାଉଜ ଆଭିନ୍ୟୁ କୋର୍ଟରେ ହାଜର କରିଥିଲା ଦିଲ୍ଲୀ ପୋଲିସ । ସେମାନଙ୍କୁ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଇଥିବା ଆଇନଜୀବୀମାନେ ଉପସ୍ଥିତ ନଥିଲେ । ଦିଲ୍ଲୀ ପୋଲିସ ଏହି ମାମଲାରେ ପ୍ରାଧିକରଣର ଅନ୍ୟ କେହି ଆଇନଜୀବୀଙ୍କ ମାଧ୍ୟମରେ ଶୁଣାଣି ପ୍ରକ୍ରିୟା କରିବାକୁ ନିର୍ଦ୍ଦେଶ ଦେବାକୁ ଖଣ୍ଡପୀଠକୁ ନିବେଦନ କରିଥିଲା । ଆଜି ଦିଲ୍ଲୀ ପୋଲିସର ପଲିଗ୍ରାଫ ଟେଷ୍ଟ ଅନୁମତି ଆବେଦନ ସହ ମହିଳା ଅଭିଯୁକ୍ତ ନିଲମଙ୍କ ବେଲ ଆବେଦନର ଶୁଣାଣି ମଧ୍ୟ ଥିଲା । 5 ତାରିଖକୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।
13 ତାରିଖରେ ସଂସଦ ଆକ୍ରମଣର 22ତମ ବାର୍ଷିକୀରେ ପୁଣି ଥରେ ଦେଶର ସର୍ବୋଚ୍ଚ ପଞ୍ଚାୟତର ସୁରକ୍ଷାରେ ବିଭ୍ରାଟ ଘଟିଥିଲା । ସଂସଦର ଅଭେଦ୍ଯ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି 2 ଅନୁପ୍ରବେଶକାରୀ କର୍ଣ୍ଣାଟକର ମନୋରଞ୍ଜନ ଓ ସାଗର ଶର୍ମା ଲୋକସଭାରେ କଲର ବମ ସହ ଉତ୍ପାତ କରିଥିଲେ । ଗୃହ ମଧ୍ୟରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଯୁବକ ଭିଜିଟର ପାସରେ ପ୍ରବେଶ କରିଥିଲେ । ସାଙ୍ଗରେ କଲର ବମ ମଧ୍ୟ ନେଇଥିଲେ ।