ନୂଆଦିଲ୍ଲୀ:ଗାଜିଆବାଦରେ ଜଣେ ଆଇନଜୀବୀଙ୍କୁ ତାଙ୍କ ଚାମ୍ବରରେ ପଶି ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମୃତକଙ୍କ ପରିଚୟ ମୋନୁ ଚୌଧୁରୀ ବୋଲି ଜଣାପଡିଛି । ସେ ବୃତ୍ତିରେ ଜଣେ ଆଇନଜୀବୀ ଓ ଗାଜିଆବାଦ ତହସିଲ ପରିସରରେ ତାଙ୍କର ଚାମ୍ବର ଥିଲା । ସେ ଆଜି ଅପରାହ୍ନରେ ଚାମ୍ବରରେ କାର୍ଯ୍ୟରତ ଥିବା ବେଳେ ଏକାଧିକ ଦୁର୍ବୃତ୍ତ ପଶି ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ହେଲେ ମୃତକଙ୍କ ପତ୍ନୀ ଏହି ହତ୍ୟା ପାଇଁ ମୃତକଙ୍କ ଭିଣୋଇ ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଅଭିଯୋଗ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ।
ସ୍ଥାନୀୟ ଡିସିପି ନିପୂଣ ଅଗ୍ରଓ୍ବାଲଙ୍କ ସୂଚନା ଅନୁସାରେ, ଏହି ଆଇନଜୀବୀ ଜଣକ ନିଜ ଅଫିସରେ ଥିଲେ । ଦୁଇଜଣ ଦୁର୍ବୃତ୍ତ ତାଙ୍କ ଚାମ୍ବରରେ ପଶି ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ଆଇନଜୀବୀଙ୍କ ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ମନୁଙ୍କ ପତ୍ନୀ କବିତା ଚୌଧୁରୀ ମନୁଙ୍କ ଭିଣୋଇ ସମେତ ତାଙ୍କ ପରିବାରର 5 ସଦସ୍ୟଙ୍କ ବିରୋଧରେ ଏହି ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତକଙ୍କ ଭିଣୋଇ ଅମିତ ଡାଗର ଓ ତାର ଭାଇ, ବାପା ଓ ଅନ୍ୟ ଦୁଇ ବ୍ୟକ୍ତି ଏହି ହତ୍ୟାକାଣ୍ଡ ଘଟାଇଥିବା ଏତଲାରେ ଦର୍ଶାଯାଇଛି ।
ଅଭିଯୁକ୍ତ ଅମିତ ଡାଗରର ପୂର୍ବରୁ ନିଜ ମା’ ଉପରେ ଗୁଳି ଚଳାଇବାର ଅଭିଯୋଗ ରହଥିବା ମଧ୍ୟ ପୋଲିସ କହିଛି । ଏବେ ମାମଲାର ତଦନ୍ତ ଜାରି ରହିଛି । ତଦନ୍ତ ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତମାନେ ଏବେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଟିମ ସେମାନଙ୍କ ଠିକଣା ଉପରେ ଚଢାଉ ଜାରି ରଖିଥିବା ମଧ୍ୟ ସିଟି ଡିସିପି କହିଛନ୍ତି ।