ଲକ୍ଷ୍ନୌ: ସ୍ୱାଧୀନତା ଦିବସରେ ଉତ୍ତର ପ୍ରଦେଶ ମଉ ଜିଲ୍ଲାର ପହରପୁରର ତାଲିମୁଦ୍ଦିନ ନିଶୱାନ ଡିଗ୍ରୀ କଲେଜରେ ତାଲିବାନୀ ଗୀତ ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି । କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରୀ ଏହି ଗୀତ ପରିବେଷଣ କରାଇଥିବା ସହ ସେଥିରେ ଡାନ୍ସ ମଧ୍ୟ କରିଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ପୋଲିସ ଏହାକୁ ଅତି ଗମ୍ଭୀରତାର ସହ ନେଇଛି । ଘଟଣା ସମ୍ପର୍କରେ ପ୍ରଘଟ ହେବା ପରେ ହିନ୍ଦୁ ଜାଗରଣ ମଞ୍ଚ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଆନ୍ଦୋଳନ କରିଛି ।
ଅଭିଯୋଗ ଅନୁସାରେ,ଏହି ଗୀତରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରୀମାନେ ନୃତ୍ୟ କରିଥିଲେ । ଏନେଇ ଭିଡିଓ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଥିଲା । ଏବେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏସମ୍ପର୍କିତ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଏଥିରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରୀମାନେ ତାଲିବାନୀ ଗୀତରେ ନାଚୁଥିବାର ନଜର ଆସିଛନ୍ତି । ଯାହାକୁ ନେଇ ଜିଲ୍ଲାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ପୋଲିସ୍ ଅଧୀକ୍ଷକ ଅବିନାଶ ପାଣ୍ଡେ କହିଛନ୍ତି, ସ୍ୱାଧୀନତା ଦିବସ ଅବସରରେ ତାଲିମୁଦ୍ଦିନ ନିଶୱାନ୍ ଡିଗ୍ରୀ କଲେଜରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ଛାତ୍ରୀ ତାଲିବାନୀ ଗୀତରେ ନାଚିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ଘଟଣାରେ କିଛି ଲୋକ ଅଭିଯୋଗ କରିଥିଲେ । ଏହା ଜଣାପଡିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ଏହି କାର୍ଯ୍ୟକ୍ରମ କିଏ ଆୟୋଜନ କରିଥିଲା, ଏଥିରେ କେତେ ଲୋକ ଜଡିତ ଅଛନ୍ତି ତାହା ଅନୁସନ୍ଧାନ କରାଯାଉଛି । ତଦନ୍ତ ରିପୋର୍ଟ ଆଧାରରେ ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।