ନୂଆଦିଲ୍ଲୀ:ହ୍ରାସ ହେବନି ପୋକ୍ସୋ ଆଇନର ବୟସ ସୀମା । ସହମତିରେ ଶାରୀରିକ ସମ୍ପର୍କ ରଖିବାର ବୟସ ସୀମା 18ରୁ 16କୁ ହ୍ରାସ ନକରିବାକୁ ଲ’ କମିଶନ ଆଇନ ମନ୍ତ୍ରଣାଳୟକୁ ଏପରି ସୁପାରିସ କରିଛନ୍ତି । ପୋକ୍ସୋ ଆଇନରେ କିଛି ସଂଶୋଧନ କରିବା ଆବଶ୍ୟକତା ରହିଛି,ଆଇନରେ ଥିବା ବୟସ ସୀମା ଉପରେ ହସ୍ତକ୍ଷେପ କରିବା ଅନୁଚିତ ବୋଲି କହିଛନ୍ତି ଲ କମିଶନ । ଗତ 27 ତାରିଖ ଦିନ ଲ କମିଶନର ଏକ ବୈଠକ ବସିଥିଲା । ଯେଉଁଥିରେ ପୋକ୍ସୋ ଆଇନର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା । ଆଲୋଚନା ପରେ ଏକ ରିପୋର୍ଟ ଆଇନ ମନ୍ତ୍ରଣାଳୟକୁ ପ୍ରଦାନ କରିଥିଲେ ଲ କମିଶନ । ଯଦି ପୋକ୍ସୋ ଆଇନର ବୟସ ସୀମାକୁ ହ୍ରାସ କରାଯାଏ ତେବେ ଖରାପ ପ୍ରଭାବ ପଡିବ । ବାଲ୍ୟ ବିବାହ ଓ ଶିଶୁ ଚାଲାଣ ବିରୋଧୀ ଅଭିଯାନ ପ୍ରଭାବିତ ହେବ, ତେଣୁ ବୟସ ସୀମା ହ୍ରାସ ହେବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଅନେକ ସମୟରେ ପୋକ୍ସୋ ଆଇନର ଅପବ୍ୟବହାର କରାଯାଉଛି । ଝିଅର ଇଚ୍ଛା ଅନୁସାରେ ବିବାହ ନ କରାଇବା ପାଇଁ ତାଙ୍କ ଅଭିଭାବକମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରୁଥିଲେ । ଫଳରେ ଝିଅ ଓ ପୁଅ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ଥଲେ ମଧ୍ୟ ଯୁବକକୁ ଆଇନ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡୁଛି । ତେଣୁ ସହମତିରେ ଶାରୀରିକ ସଂପର୍କ ରଖିବାର ବୟସ ୧୮ରୁ ୧୬କୁ ହ୍ରାସ କରିବା ପାଇଁ ଦାବି ହୋଇଥିଲା । ଆଇନ କମିଶନର ବୈଠକରେ ଏନେଇ ଆଲୋଚନା ପରେ ପୋକ୍ସୋ ଆଇନରେ ବୟସର ସୀମାକୁ ହ୍ରାସ ନକରିବାକୁ କୁହାଯାଇଥିବା ବେଳେ ସଂଶୋଧନ କରାଯିବାକୁ ସୁପାରିସ କରିଛି କମିଶନ । ମୌନ ସ୍ବୀକୃତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି।