ହାଇଦ୍ରାବାଦ: ବିହାରରେ ସପ୍ତମ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି (7th phase Teacher Recruitment In Bihar) ବିଜ୍ଞପ୍ତି ପ୍ରକାଶ ଦାବିରେ ପାଟନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଶିକ୍ଷକ ଆଶାୟୀଙ୍କ ଉପରେ ଲାଠିଚାର୍ଜ କରିଛି । ସହରର ଡାକବଙ୍ଗଳା ଛକରେ ହଜାର ହଜାର ଆଶାୟୀ ଶିକ୍ଷକ ପ୍ରାର୍ଥୀ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ପୋଲିସ ସେମାନଙ୍କୁ ଘଉଡାଇବା ପାଇଁ ଲାଠିଚାର୍ଜ କରିଥିଲା । ଏଥିରେ ବହୁ ସଂଖ୍ୟକ ଶିକ୍ଷକ ଆଶାୟୀ ଆହତ ହୋଇଛନ୍ତି । କିଛି ଶିକ୍ଷକ ଆଶାୟୀଙ୍କୁ ପୋଲିସ ସ୍ଥାନୀୟ ଥାନାରେ ଅଟକ ମଧ୍ୟ ରଖିଥିବା ସୂଚନା ମିଳିଛି ।
ଆଜି (ମଙ୍ଗଳବାର) ରାଜଧାନୀ ପାଟନାରେ CTET ଏବଂ BTET ଉତ୍ତୀର୍ଣ୍ଣ ଆଶାୟୀ ପ୍ରାର୍ଥୀମାନେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ (7th phase Teacher Recruitment In Bihar)। ଏହି ଦାବିରେ ଶିକ୍ଷକ ଆଶାୟୀ ପାର୍ଥୀମାନେ ରାଜଧାନୀ ମୁହାଁ ହୋଇଥିଲେ । ପାଟନାର ଡାକବଙ୍ଗଳା ଛକକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଟ୍ରାଫିକ ଜାମ ସହ ଯାତାୟତ ମଧ୍ୟ ପ୍ରଭାବିତ ହୋଇଥିଲା । ଏହି ସମୟରେ ପୋଲିସ ସେମାନଙ୍କୁ ସେଠାରୁ ଉଠାଇବା ପାଇଁ ବଳପ୍ରୟୋଗ କରିଥିଲା ।