ନୂଆଦିଲ୍ଲୀ:ଦେଶର ପ୍ରଥମ CDS ଜେନେରାଲ ବିପିନ ରାୱତଙ୍କ ସମ୍ମାନାର୍ଥେ ଭାରତୀୟ ସେନାର ବଡ ଘୋଷଣା । ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (USI) ରେ ସ୍ଥାପନ ହେବ ‘ଚେୟାର ଅଫ ଅକ୍ସିଲେନ୍ସ’ (Chair of Excellence) । ଯାହାର ଘୋଷଣା କରିଛନ୍ତି ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବାଣେ ।
ଦିବଂଗତ CDS ଜେନେରାଲ ବିପିନ ରାୱତଙ୍କ 65 ତମ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ସେନା ଏହି ଘୋଷଣା କରି ତାଙ୍କୁ ଆଉ ଏକ ସମ୍ମାନ ଦେଇଛି । ସେନା ପକ୍ଷରୁ ଜାରି ଏକ ବିବୃତ୍ତି ଅନୁସାରେ ୟୁନାଇଟେଡ ସର୍ଭିସ ଇନଷ୍ଟିଚ୍ୟୁସନ ଅଫ ଇଣ୍ଡିଆ (USI) ୟୁଏସଆଇର ନିର୍ଦ୍ଦେଶକ ଥିବା ମେଜର ଜେନେରାଲ ବିକେ ଶର୍ମାଙ୍କୁ 5 ଲକ୍ଷ ଟଙ୍କାର ଏକ ଚେକ ପ୍ରଦାନ କରାଯାଇଛି । ଏହି ଅର୍ଥରେ ୟୁଏସଆଇ ସ୍ଥାପନ ହେବାକୁ ଥିବା ଚେୟାର ଅଫ ଅକ୍ସିଲେନ୍ସ ନାମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଖର୍ଚ୍ଚ କରାଯିବ ।
ନିଜ ବିବୃତ୍ତିରେ ସେନା ଆହୁରି କହିଛି ଯେ ଦିବଂଗତ CDS ଜେନେରାଲ ବିପିନ ରାୱତ ଦେଶର 27 ତମ ସ୍ଥଳସେନା ଅଧ୍ୟକ୍ଷ ଥିଲେ । ଏହାସହ ଦେଶର ଶ୍ରେଷ୍ଠ ସେନାପତି ଥିଲେ । ତାଙ୍କ ନେତୃତ୍ବରେ ସେନା ଏକାଧିକ ଅପରେସନ କରିଥିଲା । ଭାରତୀୟ ସେନା ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କ ନେତୃତ୍ବରେ 3 ସେନାର ଆଧୁନିକ କରଣ ସହ ଥିଏଟର କମାଣ୍ଡ କରାଯାଉଥିଲା । ଏହି ମହାନ ସେନାପତିଙ୍କୁ ଆମେ ଗତବର୍ଷ ହରାଇ ତାଙ୍କ ଅନୁପସ୍ଥିତି ଅନୁଭବ କରୁଛୁ ।