ଲକ୍ଷ୍ନୌ: ତାଜମହଲର ବନ୍ଦ କୋଠରୀ ଖୋଲିବା ଦାବିରେ ଆହ୍ଲାବାଦ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ଏହି ଆବେଦନ ପରେ ତାଜମହଲ ଉପରେ ଅଧିକାର ଦାବି କରିଛନ୍ତି ଜୟପୁରର ରାଜପରିବାର । ବିଜେପି ସାଂସଦ ତଥା ଜୟପୁର ରାଜପରିବାରର ସଦସ୍ୟା ଦିୟା କୁମାରୀ ତାଜମହଲ ତାଙ୍କ ରାଜପରିବାରର ଜମିରେ ନିର୍ମାଣ ହୋଇଥିବା କହିଛନ୍ତି । ସେ ଦାବି କରିଛନ୍ତି, ''ଯେଉଁ ଜାଗାରେ ତାଜମହଲ ନିର୍ମାଣ ହୋଇଛି ତାହା ପୂର୍ବରୁ ଜୟପୁର ରା ପରିବାରର ଥିଲା । ପରେ ମୋଗଲ ସମ୍ରାଟ ଶାହାଜାହନ ତାହାକୁ ଜବରଦଖଲ କରିଥିଲେ । ତାଜମହଲ ଜମି ସଂକ୍ରାନ୍ତୀୟ କାଗଜପତ୍ର ଏବେ ବି ତାଙ୍କ ପରିବାର ପାଖରେ ରହିଛି । ଯଦି କୋର୍ଟ ନିର୍ଦ୍ଦେଶ ଦେବେ ତେବେ ରାଜପରିବାର ସେହି କାଗଜପତ୍ର ଉପସ୍ଥାପନ କରିବେ ।''
ଦିୟା କୁମାରୀ ଆହୁରିମଧ୍ୟ କହିଛନ୍ତି ଯେ, "ବର୍ତ୍ତମାନ ସମୟରେ ଯଦି ସରକାର କୌଣସି ଜମି ଅଧିଗ୍ରହଣ କରନ୍ତି, ଏହାର ପ୍ରତିବଦଳରେ ସେ କ୍ଷତିପୂରଣ ଦେଇଥାନ୍ତି । ସେ ସମୟରେ ମଧ୍ୟ ସେପରି କିଛି କ୍ଷତିପୂରଣ ଦିଆଯାଇଥିଲା । ହେଲେ ଯେହେତୁ ସେତେବେଳେ କୌଣସି କୋର୍ଟ ନଥିଲା ତେଣୁ ଶାହାଜାହନଙ୍କ ବିରୁଦ୍ଧରେ ଅପିଲ୍ କରିବାକୁ ଅଥବା କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହୋଇନଥିଲା । ତେଣୁ ଦୀର୍ଘ ବର୍ଷ ଧରି ବନ୍ଦ ପଡିଥିବା ଆଗ୍ରା ତାଜମହଲର 20ଟି କୋଠରୀ ଖୋଲିବାକୁ କରାଯାଇଥିବା ଆବେଦନକୁ ସାଂସଦ ଦିୟା କୁମାରୀ ସମର୍ଥନ କରିଛନ୍ତି ।"