ଓଡିଶା

odisha

ଚାକିରି ପାଇଁ ଜମି ଦୁର୍ନୀତି ମାମଲା; ଲାଲୁ, ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀଙ୍କୁ ମିଳିଲା ଜାମିନ

By ETV Bharat Odisha Team

Published : Oct 4, 2023, 12:43 PM IST

ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ପତ୍ନୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀଙ୍କୁ ମିଳିଲା ଜାମିନ । ଅଧିକ ପଢ଼ନ୍ତୁ

ଚାକିରି ପାଇଁ ଜମି ଦୁର୍ନୀତି ମାମଲା
ଚାକିରି ପାଇଁ ଜମି ଦୁର୍ନୀତି ମାମଲା

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁ ପରିବାରକୁ ଆଶ୍ବସ୍ତି । ଆରଜେଡି ନେତା ଲାଲୁ ଯାଦବ, ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଓ ପୁଅ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ରାଉଜ ଆଭିନ୍ୟୁ କୋର୍ଟରୁ ଜାମିନ ମିଳିଛି । ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ସମସ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବ, ରାବ୍ରୀ ଦେବୀ ଓ ବିହାର ଉପମୁଖ୍ୟମନ୍ତ୍ରୀ ଥିବା ତାଙ୍କର ପୁଅ ତେଜସ୍ବୀ ଯାଦବ ଆଜି(ବୁଧବାର) ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଥିଲେ । ସ୍ବତନ୍ତ୍ର ସିବିଆଇ ବିଚାରପତି ଗୀତାଞ୍ଜଳି ଗୋୟଲ ସମସ୍ତ ଅଭିଯୁକ୍ତକୁ ଜାମିନ ଦେଇଛନ୍ତି । କହି ରଖୁଛୁ କି, ସିବିଆଇ ଦ୍ବାରା ଗତ ୩ ଜୁଲାଇରେ ଦାଖଲ ହୋଇଥିବା ଦ୍ବିତୀୟ ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଆଧାରରେ କୋର୍ଟ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀଙ୍କୁ ଅକ୍ଟୋବର ୪ରେ ହାଜର ହେବାକୁ ସମନ କରିଥିଲେ । ତାଙ୍କ ବ୍ୟତୀତ ବାପା ଲାଲୁ ଯାଦବ ଓ ମାଆ ରାବ୍ରୀ ଦେବୀଙ୍କୁ ମଧ୍ୟ ସମନ ହୋଇଥିଲା । ସେମାନଙ୍କ ସହ ୩ ଜଣ ରେଲୱେ ଅଧିକାରୀ ସାମିଲ ଥିଲେ ।

ଏହା ମଧ୍ୟ ପଢନ୍ତୁ: Land for Job Scam: ଲାଲୁଙ୍କ ବଢିଲା ଅଡୁଆ, ଅକ୍ଟୋବର ୪ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ୨୨ରେ ସିବିଆଇ କୋର୍ଟକୁ କହିଥିଲା ଯେ, ଏହି ଦୁର୍ନୀତି ମାମଲାରେ ତିନି ଜଣ ପୂର୍ବତନ ରେଲୱେ ଅଧିକାରୀଙ୍କ ବିରୋଧରେ ମାମଲା ଚଳାଇବା ପାଇଁ କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିଛି । ପୂର୍ବରୁ ସେପ୍ଟେମ୍ବର ୧୨ରେ ଏଜେନ୍ସି ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ମାମଲା ଚଲାଇବାକୁ ସରକାରଙ୍କଠାରୁ ଅନୁମତି ମିଳିବା ସମ୍ପର୍କରେ କୋର୍ଟକୁ ଅବଗତ କରିଥିଲା । ଏହି ମାମଲାରେ ସିବିଆଇ ପକ୍ଷରୁ ଦାଖଲ ହୋଇଥିବା ଦ୍ବିତୀୟ ସପ୍ଲିମେଣ୍ଟାରୀ ଚାର୍ଜ୍‌ସିଟରେ ପ୍ରଥମ ଥର ତେଜସ୍ବୀ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା ।

ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୨୦୦୪ରୁ ୨୦୦୯ ଯାଏଁ ରେଳମନ୍ତ୍ରୀ ଥିବା କାଳରେ ଏହି ଦୁର୍ନୀତି ହୋଇଥିଲା । ରେଳମନ୍ତ୍ରୀ ଥିବାବେଳେ ସେ ରେଲୱେର ଗ୍ରୁପ ଡି'ରେ ଚାକିରି ଦେବାକୁ ଆଶାୟୀଙ୍କଠାରୁ ଲାଞ୍ଚ ବାବଦକୁ ଜମି ନେଇଥିବା ଅଭିଯୋଗ ରହିଛି । ଏହି ମାମଲାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ଲାଲୁଙ୍କ ସମେତ ପତ୍ନୀ ରାବ୍ରୀ ଦେବୀ, ସାଂସଦ ଝିଅ ମିସା ଭାରତୀ, ରେଲୱେର ତତ୍କାଳୀନ ଜେନେରାଲ ମ୍ୟାନେଜରଙ୍କ ସମେତ ୧୭ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details