ପାଟନା:ଗୁରୁବାର ରାତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମାଜବାଦୀ ନେତା ଶରଦ ଯାଦବଙ୍କ ପରଲୋକ ହୋଇଛି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(RJD)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏକ ଭିଡିଓ ବାର୍ତ୍ତା ଜାରି କରି ଶୋକବ୍ୟକ୍ତ କରିଛନ୍ତି ।
ସେ ଭିଡିଓ ଜାରି କରି କହିଛନ୍ତି, "ମୁଁ ବର୍ତ୍ତମାନ ସିଙ୍ଗାପୁରର ଅଛି । ଆଜି ଶୁଣିବାକୁ ପାଇଲି ଶରଦ ଯାଦବ ଆମ ପାଖରେ ଆଉ ନାହାନ୍ତି । ବଡ ଭାଇ ଶରଦ ଯାଦବଙ୍କ ମୃତ୍ୟୁ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଖବର ମୋତେ ବହୁତ ଆଘାତ ଦେଇଛି । ଶରଦ ଯାଦବ ଜୀ, ମୁଲାୟମ ସିଂ ଯାଦବ ଜୀ, ନିତୀଶ କୁମାର, ଡ. ରାମ ମନୋହର ଲୋହିଆ ଏବଂ ଜନନାୟକ କର୍ପୁରୀ ଠାକୁରଙ୍କ ସହ ମିଶି ମୁଁ ରାଜନୀତି କରୁଥିଲି ଏବଂ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜାରି ରଖିଛି । "
ଏହା ମଧ୍ୟ ପଢନ୍ତୁ: Sharad Yadav Passed Away: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ସେ ଆହୁରି ମଧ୍ୟ କହିଛନ୍ତି, "ବଡ ଭାଇ ଶରଦ ଯାଦବ ଗୁରୁବାର ରାତିରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ଶୁଣି ମୁଁ ନିଜକୁ ଅସହାୟ ମନେ କରୁଛି । ମୁଁ ସିଙ୍ଗାପୁର ଆସିବା ପୂର୍ବରୁ ଆମ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଆମେ ଏକାଠି ବସି ବହୁତ କିଛି କଥା ହୋଇଥିଲୁ । ସମାଜବାଦୀ ଏବଂ ସାମାଜିକ ନ୍ୟାୟ ସ୍ରୋତ ପ୍ରସଙ୍ଗରେ ଆମେ ଚିନ୍ତା କରିଥିଲୁ । ଶରଦ ଭାଇ...ଏମିତି ଆମକୁ ଛାଡି ଯିବାର ନଥିଲା । "
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବଙ୍କ ସହ ଥିବା ସ୍ମୃତିକୁ ମନେ ପକାଇଲେ RJDର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲାଲୁ ପ୍ରସାଦ । ସେ ପୁରୁଣା ସ୍ମୃତିକୁ ମନେପକାଇ କହିଛନ୍ତି, " କଥା କହିବା ବେଳେ, ମତ ରଖିବା ସମୟରେ ଏବଂ ସମ୍ବୋଧନ କରିବା ସମୟରେ ଆମ ଦୁହିଁଙ୍କ ଭିତରେ ବେଳେବେଳେ ଝଗଡା ହେଉଥିଲା । କିନ୍ତୁ ଝଗଡାରେ କୌଣସି କଟୁ ବାକ୍ୟ ରହୁନଥିଲା । ସେ ମହାନ ସମାଜବାଦୀ ଏବଂ ସ୍ପଷ୍ଟବାଦୀ ନେତା ଥିଲେ । ଲକ୍ଷ ଲକ୍ଷ ମିତ୍ରକୁ ଛାଡି ସେ ଆରପାରିକୁ ଚାଲିଯାଇଛନ୍ତି । ତାଙ୍କ ଆତ୍ମାର ଶାନ୍ତି ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି । ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୌର୍ଯ୍ୟ ଦିଅନ୍ତୁ । "
ପ୍ରକାଶଥାଉକି, ଶରଦ ଯାଦବ ନିଜର ଜୀବନକାଳ ମଧ୍ୟରେ ୭ ଥର ଲୋକସଭାକୁ ନିର୍ବାଚିତ ହେବା ସହ ୩ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ସେ ଜେଡିୟୁ ଉପରେ ନିୟନ୍ତ୍ରଣ ହରାଇବା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଗୋଷ୍ଠୀ ହାତରେ ଦଳର ଲଗାମ ରହିଥିଲା । ପରବର୍ତ୍ତୀ ସମୟରେ ଦଳ ବିରୋଧୀ କାର୍ଯ୍ୟକଳାପ ନେଇ ନୀତିଶ ଅଭିଯୋଗ ଆଣିବାରୁ ରାଜ୍ୟ ସଭାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ପରେ ସେ ଲୋକତାନ୍ତ୍ରିକ ଜନତା ଦଳ ଗଠନ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ଆରଜେଡିରେ ମିଶ୍ରଣ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ