ନୂଆଦିଲ୍ଲୀ:2024 ସାଧାରଣ ନିର୍ବାଚନ ଯେତିକି ପାଖଉଛି, ଜାତୀୟ ରାଜନୀତିରେ ଚର୍ଚ୍ଚା ଓ ଉଷ୍ମତା ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ସର୍ବାଧିକ ଚର୍ଚ୍ଚାରେ ରହିଛି ବିରୋଧୀ ଏକତା ପ୍ରସଙ୍ଗ (Opposition unity for 2024 Lok Sabha polls) । ସମସ୍ତ ବିରୋଧୀ ଦଳମାନେ ଏକକ ଭାବେ ନୁହନ୍ତି ବରଂ ମିଳିତ ଭାବେ ବିଜେପି ବିରୋଧରେ ନିର୍ବାଚନ ଲଢିବେ । ଏଥିପାଇଁ ଗତ କିଛି ମାସ ଧରି ପ୍ରୟାସ ମଧ୍ୟ ଆରମ୍ଭ ହୋଇଗଲାଣି ।
ତେବେ ଏହି ବିଜେପି ବିରୋଧୀ ମଞ୍ଚକୁ ଏକାଠି କରିବାରେ ପ୍ରମୁଖ ଭୂମିକାରେ ଦୃଶ୍ୟମାନ ହେଉଥିବା ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ସହ କାନ୍ଧ ମିଳାଇଛନ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଖୁବଶୀଘ୍ର ଉଭୟ ଲାଲୁ ଓ ନୀତିଶ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିବା ସହ ଆଲୋଚନା କରିବେ (Lalu Prasad Yadav to meet Sonia Gandhi)।
ସୋନିଆଙ୍କ ସହ ସାକ୍ଷାତ ନେଇ ଲାଲୁ କହିଛନ୍ତି, ‘‘ନୀତିଶଙ୍କ ସହ ମୁଁ ମଧ୍ୟ ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତ କରିବା ପାଇଁ ଯିବି । 2024 ସାଧାରଣ ନିର୍ବାଚନରେ ବିରୋଧୀ ଏକତା ନେଇ ଆଲୋଚନା ହେବ । ପରେ ମୁଁ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଭେଟିବି । ରାହୁଲ ବର୍ତ୍ତମାନ ଭାରତ ଯୋଡୋ ଯାତ୍ରାର ନେତୃତ୍ବ ନେଉଛନ୍ତି । ସେ କାର୍ଯ୍ୟକ୍ରମ ସାରି ଦିଲ୍ଲୀ ଫେରିବା ପରେ ତାଙ୍କ ସହ ଆଲୋଚନା କରିବି ।’’