ଭୋପାଳ:ଜଣେ ବ୍ୟକ୍ତିଙ୍କ ଦେହରେ କେଶ ଉଠିବା ଏକ ସାଧାରଣ କଥା । କିନ୍ତୁ ଅସାଧାରଣ ଭାବରେ କେଶ ଉଠୁଥିଲେ ନିହାତି ଭାବରେ ସମ୍ପୃକ୍ତ ବ୍ୟକ୍ତି 'ୱେୟରୱଲ୍ଫ୍ ସିଣ୍ଡ୍ରୋମ'(Werewolf Syndrome)ର ଶିକାର ହୋଇ ପାରନ୍ତି । ଏଭଳି ଏକ ବିରଳ ରୋଗର ଶିକାର ହୋଇଛନ୍ତି ମଧ୍ୟ ପ୍ରଦେଶ ରତଲାମ ଜିଲ୍ଲାର ୧୭ ବର୍ଷୀୟ କିଶୋର ଲଳିତ ପଟିଦାର । ଲଳିତଙ୍କ ସାରା ଦେହରେ କେଶ ଉଠିଥିବା ଦେଖିବାକୁ ମିଳିଛି । ସ୍କୁଲ୍ରେ ମଧ୍ୟ ତାଙ୍କ ସହ ମିଶିବାକୁ ତାଙ୍କ ବନ୍ଧୁମାନେ ଭୟ କରୁଛନ୍ତି ।
ଲଳିତଙ୍କ ମୁହଁଠାରୁ ଆରମ୍ଭ କରି ଗୋଡ଼ ପର୍ଯ୍ୟନ୍ତ ଅସ୍ବାଭାବିକ ଭାବରେ କେଶ ଉଠିଛି । ଏପରିକି ପାପୁଲି ଓ ତଳିପାଦରେ ମଧ୍ୟ କେଶ ଉଠିଛି । ପିଲାଟି ଦିନରୁ ଲଳିତଙ୍କ ଦେହରେ କେଶ ଉଠିବା ଆରମ୍ଭ ହୋଇଥିଲା । ଏହାପରେ ପିଲାଠାରୁ ବଡ଼ ଯାଏଁ ତାଙ୍କ ମଜାକ ଉଡ଼ାଇବାରେ ଲାଗିଥିଲେ । ଖାଲି ସେତିକି ନୁହେଁ କିଛି ଭୟରେ ତାଙ୍କ ଉପରକୁ ପଥମ ମଧ୍ୟ ମାଡ଼ କରିଥିଲେ । ତାଙ୍କ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ୍ ହୋଇଥିଲା । ଏହାକୁ ନେଇ ନିକଟରେ ଏକ ଜଣାଶୁଣା ଅନ୍ତର୍ଜାତୀୟ ଖବରକାଗଜକୁ ନିଜର ଅନୁଭୁତି କହିବା ପରେ ଏବେ ପୁଣିରେ ସେ ଚର୍ଚ୍ଚାକୁ ଆସିଛନ୍ତି ।