ଚେନ୍ନାଇ: ନିକଟରେ ତାମିଲନାଡୁ ତ୍ରିଚି ଜିଲ୍ଲା ଅନ୍ତର୍ଗତ ଲାଲଗୁଡିରେ ଶିଶୁ ଅପହରଣ ନେଇ ଏକ ଅଭିଯୋଗ ହୋଇଥିଲା । ନବଜାତ ଶିଶୁକନ୍ୟା ନିଖୋଜ ଥିବା ସମ୍ପର୍କରେ ତା'ର ମାଆ ଥାନାରେ ଅଭିଯୋଗ କରିଥିଲେ । ଏପରିକି ମହିଳା ମାଡ୍ରାସ ହାଇକୋର୍ଟର ମଧ୍ୟ ଦ୍ବାରସ୍ଥ ହୋଇଥିଲେ । ଏବେ ଏହି ଶିଶୁ ଅପହରଣ ଘଟଣାରେ ନୂଆ ଟ୍ବିଷ୍ଟ ସାମ୍ନାକୁ ଆସିଛି । ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ଅନ୍ୟ କେହି ନୁହେଁ ଜନ୍ମକଲା ମାଆ ହିଁ ନିଜ ଛୁଆକୁ ବିକ୍ରି କରିଥିଲା । କାରଣ ମହିଳାଙ୍କ ଅବୈଧ ସମ୍ପର୍କରୁ ଶିଶୁଟିର ଜନ୍ମ ହୋଇଥିଲା । ତେଣୁ ସେ ୮୦ ହଜାର ଟଙ୍କାରେ ତାକୁ ବିକ୍ରି କରିଦେଇଥିଲେ । ପରେ ଅଧିକ ଟଙ୍କା ଲୋଭରେ ସେ ପିଲା ନିଖୋଜ ଥିବାର ଅଭିଯୋଗ କରିଥିଲେ । ତେବେ ଦୀର୍ଘ ୬୦୦୦ କିଲୋମିଟର ବୁଲିବା ପରେ ଶେଷରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ ।
ଘଟଣାକ୍ରମ ଏପରି ଥିଲା:୨୦୨୨ ସେପ୍ଟେମ୍ବର ୧୭ରେ ଜାନକୀ ନାମକ ମହିଳା ତ୍ରିଚି ସରକାରୀ ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ସେ ଛୁଆର ବାପା ନାମ ନକହିପାରିବାରୁ ପ୍ରସବ ପୂର୍ବରୁ ସେଠାରୁ ପଳାଇ ଆସି ଏକ ଘରୋଇ ହସ୍ପିଟାଲରେ ପହଞ୍ଚିଥିଲେ । ସେଠାରେ ମଧ୍ୟ ସେ ଛୁଆର ବାପା ନାମ ଗୋପନ ରଖି ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ । ଏହାପରେ ମହିଳା ପ୍ରଭୁ ନାମକ ନିଜ ଓକିଲ ସାଙ୍ଗ ଓ ତାଙ୍କ ପତ୍ନୀଙ୍କ ସହ ହସ୍ପିଟାଲରୁ ଫେରିଥିଲେ । ପିଲାଟି ଅନୈତିକ ସମ୍ପର୍କରୁ ଜନ୍ମ ହୋଇଥିବାରୁ ସେ ତା'ର ଲାଳନ ପାଳନ କରିବାକୁ ଚାହୁଁନଥିଲେ । ଏଥିପାଇଁ ଜାନକୀ ନିଜ ଛୁଆକୁ ବିକ୍ରି କରିଦେବାକୁ ପ୍ରଭୁକୁ କହିଥିଲେ ।