ପାଟନା:ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2024 ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡିକୁ ଏକଜୁଟ କରିବାର ଆପ୍ରାଣ ଚେଷ୍ଟାରେ ଲାଗିଛନ୍ତି । କିଛି କ୍ଷେତ୍ରରେ ନୀତିଶ ସଫଳ ମଧ୍ୟ ହେଲେଣି କହିବା ଭୁଲ ହେବନାହିଁ । କାରଣ ନୀତିଶଙ୍କ ନେତୃତ୍ବରେ ଚଳିତ 23 ତାରିଖରେ ପାଟନାରେ ବିରୋଧୀଙ୍କ ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରାୟ 15 ବିରୋଧୀ ଦଳର ନେତା ଅଂଶଗ୍ରହଣ କରିବେ । ତେଣୁ ଏହି ବିରୋଧୀ ମିଳିତ ମଞ୍ଚ ଯଦି ନିର୍ବାଚନକୁ ଓହ୍ଲାଏ ତେବେ ନୀତିଶ କୁମାର ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦାବିଦାର ହୋଇପାରନ୍ତି ବୋଲି ଅନୁମାନ ଦୃଢ଼ ହେବାରେ ଲାଗିଲାଣି । ଅବଶ୍ୟ ଏହି ଚର୍ଚ୍ଚାକୁ ନୀତିଶ ପ୍ରଥମରୁ ଖଣ୍ଡନ କରିଆସିଥିଲେ ସୁଦ୍ଧା ତାହା ସହଜରେ ଗ୍ରହଣୀୟ ହୋଇନାହିଁ । ଆଜି ଜେଡିୟୁ ଅଧ୍ୟକ୍ଷ ଲଲନ ସିଂ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ନୀତିଶ କେବେ ହେଲେ 2024 ସଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାକୁ ଉତ୍ସାହୀ ନୁହନ୍ତି ବୋଲି କହିଛନ୍ତି ଲଲନ ।
ଲଲନ କହିଛନ୍ତି, "ନୀତିଶ କୁମାର ଜୀ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହଁନ୍ତି । ସେ ବିଜେପି ମୁକ୍ତ ଭାରତ ଗଠନ କରିବାକୁ ଆଗେଇ ଆସିଛନ୍ତି ଏବଂ ତାଙ୍କ ନେତୃତ୍ବରେ ବିରୋଧୀ ଏକତାକୁ ଏକଜୁଟ କରିବାରେ ଲାଗିଛନ୍ତି । ଆଗମୀ ନିର୍ବାଚନରେ ଦେଶ କିପରି ବିଜେପି ମୁକ୍ତ ହେବ, ସେନେଇ ସମସ୍ତ ଦଳ ପାଟନାରେ ବସି ଭବିଷ୍ୟତର ରଣନୀତି ସ୍ଥିର କରିବେ । ସେହିଭଳି ନିର୍ବାଚନ ଜନାଦେଶ ପ୍ରକାଶ ପାଇବା ପରେ ସମସ୍ତ ଦଳ ପୁଣି ବସିବେ ଏବଂ କିଏ ପ୍ରଧାନମନ୍ତ୍ରୀ ହେବେ ସେ ନେଇ ନିଷ୍ପତ୍ତି ନେବେ ।"