ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା (Lakhimpur Kheri violence Case) ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଭିଯୁକ୍ତ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଆଶିଷ(Ashish Mishra) ପୂର୍ବରୁ ଆହ୍ଲାବାଦ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଜି ସୁପ୍ରିମକୋର୍ଟରେ ଆଶିଷଙ୍କ ଜାମିନ ଆବେଦନର ଶୁଣାଣି ହେବ ।
ଏହାପୂର୍ବରୁ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ କରି ଆହ୍ଲାବାଦ ହାଇକୋର୍ଟ କହିଥିଲେ ଯେ, ''ଲଖିମପୁର ହିଂସାରେ ୪ ଜଣ କୃଷକ ପ୍ରାଣ ହରାଇଥିଲେ । ଅଭିଯୁକ୍ତ ଆଶିଷଙ୍କ ଗାଡି ସେଠାରେ ରହିଥିଲା । ଏହା ହିଁ ସବୁଠୁ ବଡ ପ୍ରମାଣ । ଏହି ମାମଲା ଅତ୍ୟନ୍ତ ଜଘନ୍ୟ ଅପରାଧ ଶ୍ରେଣୀରେ ଆସୁଛି ।'' ହାଇକୋର୍ଟରେ ଜାମିନ ଆବେଦନ ଶୁଣାଣି ସମୟରେ ଆଶିଷ ମିଶ୍ରାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୋପାଳ ଚର୍ତୁବେଦୀ, ପୀଡିତଙ୍କ ପକ୍ଷରୁ କମଲଜିତ୍ ରାଖଡା, ସରକାରଙ୍କ ପଟୁ ଏଏଜି ବିନୋଦ ଶାହି ଉପସ୍ଥିତ ରହିଥିଲେ । ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।